ଋଣ ନେଇଥିବା ଟଙ୍କା ଦେଇ ନପାରିବାରୁ ସାଙ୍ଗକୁ ୧୧ମହଲା ଉପରୁ ଠେଲି ହତ୍ୟା କଲେ ୩ଜଣ ଇଞ୍ଜିନିୟରିଂ ଛାତ୍ର

ପୁଣେ: ମଙ୍ଗଳବାର ପୂର୍ବାହ୍ନରେ ଧାର ନେଇଥିବା ଟଙ୍କା ଦେବାକୁ ନେଇ ତିନିଜଣ ଇଞ୍ଜିନିୟରିଂ ଛାତ୍ର ନିଜର ସହପାଠୀଙ୍କୁ ବାଲକୋନିରୁ ଠେଲି ଦେଇ ହତ୍ୟା କରିଥିବା ଜଣା ପଡ଼ିଛି। ପୁଣେରେ ମଙ୍ଗଳବାର ଏହି ଦୁଃଖଦାୟକ ଘଟଣା ଘଟିଥିବା ବେଳେ ୩ଜଣ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ, ଅଭିନବ ଯାଦବ, ଅକ୍ଷୟ ଗୋରେଡ ଏବଂ ତେଜାସ ଗୁଜର। ସମସ୍ତ ଇଞ୍ଜିନିୟରିଂ ଛାତ୍ର ମୃତ ସାଗର ଚିଲଭେରୀଙ୍କୁ ୧୦ପ୍ରତିଶତ ସୁଧରେ ୧୫,୦୦୦ ଟଙ୍କା ଋଣ ଦେଇଥିଲେ। ସୋମବାର ସାଗରଙ୍କୁ ଏହି ଟଙ୍କା ଫେରାଇବାର ଥିଲା। କିନ୍ତୁ ସେ ଏପରି କରିବାରେ ବିଫଳ ହେବାରୁ ୩ଜଣ ଅଭିଯୁକ୍ତ ସାଗରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସର କହିବା ମୁତାବକ, ଘଟଣା ଘଟିବା ପୂର୍ବରୁ ମଙ୍ଗଳବାର ଚିଲଭେରୀ ଟଙ୍କା ଫେରସ୍ତ ନକରିପାରିବାରୁ ପ୍ରଥମେ ୩ଜଣ ଅଭିଯୁକ୍ତ ରହୁଥିବା କୋଠାର ପାର୍କିଂ ସ୍ଥାନରେ ଏବଂ ପରେ ସେମାନଙ୍କ ୧୧ମହଲାରେ ଥିବା ଫ୍ଲାଟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଝଗଡ଼ା ପରେ ଚିଲଭେରୀଙ୍କୁ ତିନିଜଣ ବାଲକୋନୀରୁ ଠେଲି ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି କୋଣ୍ଡୱା ପୁଲିସ ଷ୍ଟେସନ ଅଧିକାରୀ କହିଛନ୍ତି। ଘଟଣା ପରେ ଏହି ତିନିଜଣଙ୍କୁ ଆଇପିସି ଧାରା ଅନୁଯାୟୀ ହତ୍ୟା, ଶାରୀରିକ ଆଘାତ ଏବଂ ଅପରାଧିକ ଧମକ ଅଭିଯୋଗରେ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର