ତିନି ଭାଇଭଉଣୀଙ୍କୁ ହତ୍ୟା କରି କକା ଓ ବାପା ଗିରଫ

ଚଣ୍ଡିଗଡ଼: ନିଜ ପୁତୁରା ଓ ଝିଆରୀଙ୍କୁ ଗୁଳି ମାରି ହତ୍ୟା କରିବା ଅଭିଯୋଗରେ ପୁଲିସ କୁରୁକ୍ଷେତ୍ରର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ହତ୍ୟା କରିବା ପରେ ସେମାନଙ୍କର ଶବଗୁଡ଼ିକୁ ସେ ପଞ୍ଚକୁଳାର ମୋର୍ଣ୍ଣି ବଣରେ ଫିଙ୍ଗି ଦେଇଥିଲେ। ନିଜ ସମ୍ପର୍କୀୟ ବଡ଼ ଭାଇ ଅର୍ଥାତ୍‌ ପିଲାମାନଙ୍କ ବାପାଙ୍କ ଆଦେଶରେ ସେ ଏ ଭଳି କରିଛନ୍ତି ବୋଲି କୁହାଯାଉଛି। ପରେ ପୁଲିସ ପିଲାମାନଙ୍କର ବାପାଙ୍କୁ ମଧ୍ୟ ଗିରଫ କରିଛି।

ମୃତ ପିଲାମାନେ ହେଉଛନ୍ତି ୧୧ ବର୍ଷୀୟ ସମୀର, ୮ ବର୍ଷୀୟ ସିମ୍‌ରନ୍‌ ଏବଂ ୩ ବର୍ଷିୟ ସମର।

କୁରୁକ୍ଷେତ୍ର ଜିଲ୍ଲାର ପେହୋଓ୍ଵା ବ୍ଲକ୍‌ ଅନ୍ତର୍ଗତ ସର୍‌ସା ଗାଁରେ ସେମାନଙ୍କ ଘର। ରବିବାର ଦିନ ହତ୍ୟାକାଣ୍ଡ ହୋଇଥିଲା। ମଙ୍ଗଳବାର ସକାଳେ ଶବଗୁଡ଼ିକ ଉଦ୍ଧାର କରାଯାଇଥିଲା।

ହତ୍ୟାକାରୀ ୨୬ ବର୍ଷିୟ ଜଗଦୀପ ମଲିକ ଏବଂ ତାଙ୍କ ସମ୍ପର୍କୀୟ ବଡ଼ଭାଇ ସୋନୁ ମଲିକଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। କୈଥାଲ୍‌ରେ ସୋନୁଙ୍କର ଏକ ଫଟୋ ଷ୍ଟୁଡିଓ ଅଛି।

ହତ୍ୟାର ଉଦ୍ଦେଶ୍ୟ କ’ଣ ପୁଲିସ କହି ନାହିଁ। ସୋନୁ ପରକୀୟ ପ୍ରୀତି କରୁଛନ୍ତି। ସେଇ କାରଣରୁ ସେ ପିଲାମାନଙ୍କୁ ହତ୍ୟା କରାଇଛନ୍ତି ବୋଲି ସୋନୁଙ୍କ ବାପା ଜୀତା ମଲିକ କହିଛନ୍ତି।

Image Courtesy of HT

ରବିବାର ଦିନ ସକାଳ ସାଢ଼େ ଦଶଟାବେଳେ ପିଲାମାନେ ଖେଳିବାକୁ ଘରୁ ବାହାରି ଗଲେ। ଜଗଦୀପ କାର୍‌ରେ ସେମାନଙ୍କ ପଛେ ପଛେ ଗଲେ।
କୁରୁକ୍ଷେତ୍ରରେ ଚାଲିଥିବା ଗୀତା ଜୟନ୍ତୀ ମହୋତ୍ସବକୁ ବୁଲାଇ ନେବ କହି ସେ ପିଲାମାନଙ୍କୁ କାର୍‌ରେ ବସାଇ ଥିଲେ। ତା’ପରେ ଗାଁ’ଠାରୁ ୧୧୦ କିଲୋମିଟର୍‌ ଦୂର ମୋର୍ଣ୍ଣିକୁ କାର୍‌ ଚଳାଇ ଚାଲି ଯାଇଥିଲେ।

ମ୍ୟୁଜିକ୍‌ ସିଷ୍ଟମ୍‌ର ଭଲ୍ୟୁମ୍‌ ବଢ଼ାଇବା ପରେ ସେ ଗୋଟାଏ ନିରୋଳା ଜାଗାରେ କାର୍‌ ଅଟକାଇ ସମୀରକୁ ଓହ୍ଲାଇ ପଡ଼ିବାକୁ କହିଥିଲେ।
ଖାଇବା ପାଇଁ କିଛି କିଣିବ କହି ଜଗଦୀପ ସମୀରକୁ ଜଙ୍ଗଲିଆ ଅଞ୍ଚଳର ୫୦ ଫୁଟ୍‌ ଭିତରକୁ ନେଇ ଯାଇଥିଲେ। ତା’ପରେ ଏକ ଦେଶୀ ପିସ୍ତଲରେ ତା’ର ପଛପଟୁ ଗୁଳି ମାରିଥିଲେ।

ତା’ପରେ ସେ ସିମ୍‌ରନ୍‌କୁ ସାଥିରେ ନେଇ ଜଙ୍ଗଲିଆ ଅଞ୍ଚଳର ୨୦ ଫୁଟ୍‌ ଭିତରକୁ ଯାଇଥିଲେ। ସେଠାରେ ତା’ ମୁଣ୍ଡକୁ ଗୁଳି ମାରିଥିଲେ।
ଏହା ପରେ ଆଉ ଅଢ଼େଇ କିଲୋମିଟର କାର୍‌ ଚଳାଇ ଯିବା ପରେ ସେ ସମରକୁ ଗୁଳିମାରି ହତ୍ୟା କରିଥିଲେ।

ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ପିସ୍ତଲଟି ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ।

ସାଢ଼େ ଦୁଇଟା ବାଜିବା ପରେ ବି ପିଲାମାନେ ଖାଇବା ପାଇଁ ଘରକୁ ନ ଫେରିବାରୁ ସୋନୁଙ୍କ ପତ୍ନୀ ସୁମନ ଗାଁ ଲୋକଙ୍କ ଏ କଥା ଜଣାଇଲେ। ସେମାନେ ପିଲାମାନଙ୍କର ପତ୍ତା ନ ପାଇବାରୁ ସରପଞ୍ଚ କରଣବୀର ସିଂହ ଏ କଥା ଥାନାରେ ଜଣାଇଲେ।

ସନ୍ଧ୍ୟା ସାଢ଼େ ଛଅଟା ବେଳେ ଜଗଦୀପ ଏବଂ ରାତି ସାଢ଼େ ଆଠଟାବେଳେ ସୋନୁ ଗାଁକୁ ଫେରିଲେ। ଗାଁଲୋକ ଏବଂ ପୁଲିସ ସହ ମିଶି ସେମାନେ ହଜିଯାଇଥିବା ପିଲାଙ୍କୁ ଖୋଜିଲେ। ରବିବାର ସନ୍ଧ୍ୟାରୁ ସୋମବାର ରାତି ଅଧ ପର୍ଯ୍ୟନ୍ତ କୁରୁକ୍ଷେତ୍ରର ସବୁଆଡ଼େ ଖୋଜା ଚାଲିଲା।

କୌଣସି ସୂତ୍ରରୁ ସୁରାକ୍‌ ପାଇ ପୁଲିସ ସୋମବାର ରାତିରେ ସୋନୁ ଏବଂ ଜଗଦୀପଙ୍କୁ ଘରୁ ନେଇ ଯାଇଥିଲେ। ପଚରା ଉଚୁରା ପରେ ଜଗଦୀପ ସତ ମାନି ଯାଇଥିଲେ। ମଙ୍ଗଳବାର ସକାଳ ୬ଟା ବେଳେ ପରିବାରର ନିକଟ ସମ୍ପର୍କୀୟଙ୍କ ସହ ପୁଲିସ ଟିମ୍‌ ମୋର୍ଣ୍ଣି ଯାଇ ସେଠାରୁ ନିହତ ପିଲାମାନଙ୍କର ଶବ ଉଦ୍ଧାର କରିଥିଲେ। ଶବଗୁଡ଼ିକ ବ୍ୟବଚ୍ଛେଦ କରାଯିବା ନିମନ୍ତେ ପଞ୍ଚକୁଳା ଡାକ୍ତରଖାନାକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର