ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା : ଝାରପଡ଼ା ଜେଲରେ ଟିଆଇ ପରେଡ୍ ସରିଲା, ୧୦ କଏଦୀଙ୍କ ଭିତରୁ ‘ବିବନ’ ବୋଲି ଜଣଙ୍କୁ ଚିହ୍ନଟ କଲେ ପୀଡ଼ିତା

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ବାଳକୁ ଚିହ୍ନଟ କରିବା ସକାଶେ  ଆଜି ମଧ୍ୟାହ୍ଣରେ ଟିଆଇ ପରେଡ୍ ହୋଇଯାଇଛି ।

ସୂଚନା ଅନୁସାରେ, ଝାରପଡ଼ା ଜେଲ ପରିସରରେ ଥିବା ହଲ୍ ଭିତରେ ଜେଏମ୍ଏଫ୍‌ସି ସୃଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ୍ କରାଯାଇଛି।  ମିଳିଥିବା ସୂଚନା ଅନୁସାରେ, ବିବନ ସମେତ ୧୦ ଜଣ କଏଦୀଙ୍କୁ ଏକାଠି ଗୋଟିଏ ଧାଡ଼ିରେ ଛିଡ଼ା କରାଯାଇଥିଲା । ସେହି ୧୦ ଜଣଙ୍କ ଉଚ୍ଚତା ଓ ଶରୀରର ଗଠନ ପାଖାପାଖି ସମାନ ରହିଥିଲା। ତେବେ ଅଞ୍ଜନା ମିଶ୍ର ଜଣଙ୍କୁ ଚିହ୍ନଟ କରିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ମାତ୍ର ଟିଆଇ ପରେଡ୍ ପରେ ଜେଲ୍ ବାହାରକୁ ଆସି ସେ ଏ ବାବତରେ କିଛି କହି ନ ଥିଲେ।  ଟିଆଇ ପରେଡ୍ ସମୟରେ ୧୦ ଜଣ ଅପରାଧୀ ଥିଲେ ଓ ଏହାର ଫଳାଫଳ କୋର୍ଟରୁ ଜଣାପଡ଼ିବ, ମୁଁ କେମିତି କହିବି ବୋଲି ମତ ରଖିଥିଲେ ଅଞ୍ଜନା।

ଟିଆଇ ପରେଡ୍ ସମୟରେ ମାଜିଷ୍ଟ୍ରେଟ ଓ ଜେଲ୍‌ର  ଅଧିକାରୀ ଉପସ୍ଥିତ ଥିଲେ । ବ୍ୟବସ୍ଥା ଅନୁସାରେ, ପୀଡ଼ିତା ଧାଡ଼ିରେ ଛିଡ଼ା ହୋଇଥିବା କଏଦୀଙ୍କ ଭିତରୁ ଜଣଙ୍କୁ ଚିହ୍ନଟ କରିବେ। ଏହାର କାଗଜପତ୍ର ମଧ୍ୟ ରହିବ। ଯେଉଁ ଜେଲ ଅଧିକାରୀ ଉପସ୍ଥିତ ଥିବେ ସେ ଏଥିରେ ଦସ୍ତଖତ କରିବେ। କୋର୍ଟରେ ଯେତେବେଳେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହେବ; ଜେଲ ଅଧିକାରୀ ସେହି ସମୟରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିବେ।

ଅନ୍ୟପକ୍ଷରେ ମାମଲାର ଅଧିକ ତଦନ୍ତ ଲାଗି ସିବିଆଇ ପକ୍ଷରୁ ବିବନର ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। କୋର୍ଟ ଦୁଇ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଛନ୍ତି। କୋଲକାତାରୁ ଆସି ଭୁବନେଶ୍ବରରେ କ୍ୟାମ୍ପ ଅଫିସ ଖୋଲିଥିବା ତଦନ୍ତକାରୀ ଅଧିକାରୀଙ୍କ ସହ ୫ ଜଣିଆ ଟିମ୍ ବିବନକୁ ରିମାଣ୍ଡରେ ଆଣିବା ପରେ ଅଧିକ ତଦନ୍ତ କରି ତା ବିରୋଧରେ ପ୍ରମାଣ ଯୋଗାଡ଼ କରିବେ। ଏହି ସମୟ ଭିତରେ ବିବନର ଡାକ୍ତରୀମାଇନା କରାଯିବ। ଏହା ସହ ତାର ବୟାନ ରେକର୍ଡ କରାଯିବ। ବାରଙ୍ଗରେ ଯେଉଁଠି ଘଟଣା ଘଟିଥିଲା ସେଠାରେ ବିବନକୁ ସାଙ୍ଗରେ ଧରି ତଦନ୍ତକାରୀ ଟିମ୍ କ୍ରାଇମ ସିନ୍ ରିକ୍ରିଏସନ୍ କରିବ ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ସାକ୍ଷୀଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇପାରେ। ଦ୍ବିତୀୟ ପର୍ଯ୍ୟାୟରେ ସିବିଆଇ ପୁଣି ରିମାଣ୍ଡରେ ନେଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର