ରାୟଗଡା/ମୁନିଗୁଡ଼ା: ରାୟଗଡା ଜିଲ୍ଳାରେ ଆଜି କଟକ ଠାରୁ ଆସିଥିବା ଭିଜିଲାନ୍ସ ଟିମ ଓ ସ୍ଥାନୀୟ ଜଙ୍ଗଲ ବିଭାଗ ମିଳିତ ଚଢ଼ାଉରେ ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଗତକାଲି ମୁନିଗୁଡା ବନାଞ୍ଚଳର ନିୟମଗିରି ପାହାଡ ଅଞ୍ଚଳରୁ ମୁନିଗୁଡା ବନବିଭାଗ ଓ ଏସ.ଟି.ଏଫ ୨ଟି ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।
ଗତ ତିନିଦିନ ହେଲା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏହି ଟିମ୍ ଗତକାଲି ମୁନିଗୁଡାର କରଡାବନ୍ଧ ଗ୍ରାମ ନିକଟରେ ୨ ଜଣଙ୍କୁ ମାଡି ବସିଥିଲେ। ତାଙ୍କ ଠାରୁ ସଚନା ପାଇ ଚଢ଼ାଉ ଟିମ ନିୟମଗିରି ଅଞ୍ଚଳର ଏକ ଗ୍ରାମକୁ ଯାଇ ଆଉ ୩ ଜଣ ହାତୀଦାନ୍ତ ବ୍ୟବସାୟୀ ଏକ ଟ୍ରଲି ବ୍ୟାଗ୍ରେ ହାତୀଦାନ୍ତ ରଖି ବିକ୍ରି ପାଇ କେଉଁଆଡ଼େ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ମୁନିଗୁଡ଼ା ବନବିଭାଗ ଓ ଏସଟିଏଫ ଟିମ୍ ଘଟଣାସ୍ଥଳରେ ମାଡି ବସିଥିଲେ। ତାଙ୍କ ନିକଟରୁ ୨ଟି ହାତୀ ଦାନ୍ତ ଜବତ୍ କରିଥିଲେ।
ସୂଚନାରୁ ଜଣାପଡିଛି ଯେ ଏହି ସମୟରେ ଚଢ଼ାଉ କରିଥିବା ଟିମର ୨ଟି ବୋଲେରୋ ଉପରକୁ କିଛି ଅଜଣା ଲୋକ ଦୁର୍ବୁତ୍ତମାନଙ୍କୁ ଛଡାଇ ନେବା ପାଇଁ ଫାଇରିଂ କରିଥିବା ସୂଚନା ମିଳିଛି। ଗୋଟିଏ ଗାଡ଼ିର ସାମ୍ନାପଟେ ୪ଟି ଗୁଳି ବାଜିଥିବା ବେଳେ ଏହି ଘଟଣାରେ କେହି ଆହାତ ହୋଇନଥିବା ସୂଚନା ମିଳିଛି। ଗାଡ଼ିର ବନେଟ ଏବଂ ଅନ୍ୟ ଜାଗାରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି। କିନ୍ତୁ ଗାଡ଼ିର କାଚ ଭାଙ୍ଗିଥିବା ଯାଇଥିବା ଜଣାପଡିଛି।
ଚଢ଼ାଉ ପାଇଁ ଯାଇଥିବା ଅନ୍ୟ ଏକ ଗାଡିକୁ ଦୁର୍ବୁତ୍ତମାନେ ପଥରରେ ଆକ୍ରମଣ କରି କାଚ ଭାଙ୍ଗି ଦେଇଥିବା ଜଣାପଡିଛି। ଏନେଇ ମୁନିଗୁଡା ଜଙ୍ଗଲ ବିଭାଗ ମୁନିଗୁଡା ଥାନାରେ ଏତଲା ଦେଇଥିବା ଜଣାପଡିଛି। ଆଜି ରାୟଗଡା ସହର ୩୨୬ ରାଜପଥରେ ଥିବା ଶିବମ ସୁନ୍ଦରମ ଲଜରୁ ଦୁଇ କଲରାପତରିଆ ବାଘ ଛାଲ ଡିଲ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ କଟକ ବନବିଭାଗ( ଡିସିଏଫ) ଭିଜିଲାନ୍ସର ରଜନୀ କୁମାର ମହାନ୍ତିଙ୍କ ସହିତ ଏକ ୮ଜଣିଆ ଟିମ ଏବଂ ରାୟଗଡା ଜିଲ୍ଲା ସଦର ରେଞ୍ଜର ୬ ଜଣିଆ ଟିମ ମିଳିତ ଉଦ୍ୟମରେ ଚଢ଼ାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।