ଟିଟୋର ଦୁଇ ଦୁର୍ଦ୍ଦାନ୍ତ ସହଯୋଗୀ ଗିରଫ

ବନ୍ଧୁକ, ଗୁଳି, ୨ଟି କାର୍‌, ଟଙ୍କା ଜବତ

କଟକ: ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀର ଦୁଇ ସହଯୋଗୀଙ୍କୁ ଆଜି କ୍ରାଇମ୍‌ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଜି କୋର୍ଟ ଚାଲାଣ କରିଛି। ଏହି ଦୁଇ ଜଣ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ଅଞ୍ଚଳର ଦିପ୍ତୀ ରଞ୍ଜନ ଦାସ ଓରଫ ଲୁଲୁ ଏବଂ କଟକ ଟାଙ୍ଗୀ ଥାନା ସର୍ଦ୍ଧାଳ ଗାଁର ଚିତ୍ତରଞ୍ଜନ ସାହୁ ଓରଫ ହାବୁଲା। ଏସ୍‌ଟିଏଫ୍‌ ଦିପ୍ତୀର ଉଭୟ ଜଗତସିଂହପୁର ଏବଂ ଭୁବନେଶ୍ୱରରେ ଥିବା କୋଠାରେ ଚଢ଼ଉ କରିଥିଲା। ଦିପ୍ତୀ ନିକଟରୁ ଗୋଟିଏ ପିସ୍ତଲ, ୧୨ ରାଉଣ୍ଡ ଗୁଳି, ଗୋଟିଏ ଅଡି କାର୍‌, ଗୋଟିଏ ସୁଇଫ୍ଟ କାର୍‌, ନଗଦ ୬୪ ହଜାର ୨୫୦ ଟଙ୍କା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଏସ୍‌ଟିଏଫ୍‌ ଜବତ କରିଛି। ଦିପ୍ତୀକୁ ଆଜି କୁଜଙ୍ଗ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି। ୮ ତାରିଖ ବିଳମ୍ବିତ ରାତିରେ ଟାଙ୍ଗୀର ଚିତ୍ତରଞ୍ଜନ ସାହୁକୁ ଏସ୍‌ଟିଏଫ୍‌ ଉଠାଇ ନେଇଥିଲା। ପରେ ୯ ତାରିଖରେ ଏସ୍‌ଟିଏଫ୍‌ର ଆଠ ଜଣିଆ ଟିମ୍‌ ମୁକୁନ୍ଦପୁରରେ ଥିବା ଦିପ୍ତୀର ଘରେ ଚଢ଼ଉ ହୋଇଥିଲା। ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ କାବୁ କରିନେଇଥିଲା ଏସ୍‌ଟିଏଫ୍‌। ତା ଘର ସମେତ ଦୁଇଟି ଗେଷ୍ଟ ହାଉସ୍‌, ହୋଟେଲ୍‌, ପ୍ଲାଇ ଦୋକାନ, ଜିମ୍‌ ସେଣ୍ଟରରେ ମଧ୍ୟ ଏକ ସମୟରେ ଚଢ଼ଉ ହୋଇଥିଲା। ପଟିଆରେ ଥିବା ଏକ ଫ୍ଲାଟ୍‌ରେ ଚଢ଼ଉ କରାଯାଇ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏସ୍‌ଟିଏଫ୍‌ ହସ୍ତଗତ କରିଥିଲା।

ସମ୍ବନ୍ଧିତ ଖବର