ଖେଳନା ବନ୍ଧୁକ ଜବତ, ଜଣେ ଗିରଫ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ଅଟୋ ଚାଳକଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରିବା ଓ ତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଯୁବକକୁ ଅଟକ ରଖିବା ସହ ଏକ ନକଲି ବନ୍ଧୁକ ଜବତ କରିଛି। ସେ ହେଲା ପଟିଆ ଅଞ୍ଚଳର ସୁନୀଲ ସାମନ୍ତରାୟ(୩୦)।

ପୁଲିସ ସୂଚନା ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ସୁନୀଲ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ନିସାଶକ୍ତ ଅବସ୍ଥାରେ ଏକ ଅଟୋକୁ ଲିଫ୍ଟ ମାଗିଥିଲା। ଅଟୋଟି ଅଟକିବା ମାତ୍ରେ ସୁନୀଲ ଚାଳକକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଅଟୋଚାଳକ ପ୍ରତିବାଦ କରିବାରୁ ସୁନୀଲ ପାଖରେ ରଖିଥିବା ଏକ ନକଲି ବନ୍ଧୁକ ଦେଖାଇ ଅଟୋଚାଳକଙ୍କୁ ହତ୍ୟା ଧମକ ଦେବା ସହ ମାଡ଼ମାରିଥିଲା। ସୁନୀଲ ଅଟୋଚାଳକଙ୍କୁ ମାଡ଼ମାରୁଥିବା ଦେଖି ସେଠାରେ ଥିବା ଅନ୍ୟ ଅଟୋଚାଳକମାନେ ଧାଇଁଆସି ସୁନୀଲକୁ କାବୁ କରିଥିଲେ। ଏହାପରେ ଖାରବେଳନଗର ଥାନା ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁନୀଲକୁ ଗିରଫ କରି ଥାନାକୁ ନେଇଥିଲା। ପୁଲିସ ସୁନୀଲକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର