ନୂଆଦିଲ୍ଲୀ : ନୂଆ ମୋଟରଯାନ ଆଇନ୍ ପରେ ଏବେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୁଲିସକର୍ମୀମାନଙ୍କ ଉପରେ ମଧ୍ୟ ଭାରି ଜରିମାନା ଲାଗୁଥିବା ଦେଖାଯାଇଛି । ନିୟମ ସମସ୍ତଙ୍କ ପାଇଁ ସମାନ ଓ ଜଣେ ପୁଲିସକର୍ମୀ ମଧ୍ୟ ନିୟମ ଭାଙ୍ଗିଲେ ତାଙ୍କୁ ଜରିମାନା ଦେବାକୁ ହେବ ବୋଲି କହିଛନ୍ତି ସରକାର । କିନ୍ତୁ ହରିୟାଣା ପୁଲିସର ଜଣେ ହେଡ୍ କନେଷ୍ଟବଳ ନିୟମ ଭାଙ୍ଗିବା ପରେ ଚାଲାଣ କଟିବାରୁ ଯେଉଁ କାଣ୍ଡ କରିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ନିଶାଗ୍ରସ୍ତ ହୋଇ ଗାଡ଼ି ଚଳାଉଥିବାରୁ ହେଡ୍ କନେଷ୍ଟବଳଙ୍କ ଚାଲାଣ କଟିଥିଲା । ଚାଲାଣ କଟିବା ଜାଣି ନିଜ କାର୍ରୁ ବାହାରି ଝଗଡ଼ା କରିବା ସହ ନିଜର ପୋଷାକ ଫାଡ଼ି ଦେଇଥିଲେ ହେଡ୍ କନେଷ୍ଟବଳ । ଏହା ସହ ହିମାଚଳପ୍ରଦେଶ ପୁଲିସ ଓ ହୋମଗାର୍ଡଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିବା ଦେଖା ଯାଇଥିଲା । ତେବେ ହେଡ୍ କନେଷ୍ଟବଳଙ୍କ ଏଭଳି କାଣ୍ଡ ପରେ ତାଙ୍କୁ ପୁଲିସ କବ୍ଜାକୁ ନେବା ସହ ତାଙ୍କ କାର୍କୁ ମଧ୍ୟ ଜବତ କରିଛି । ଏହା ସହ ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି ।
/sambad/media/post_attachments/wp-content/uploads/2015/06/rakesh-kumar-shimla-traffic-police.jpg)
ସୂଚନା ମୁତାବକ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ପୁଲିସ ଅଭିଯୁକ୍ତଙ୍କୁ ଅଟକିବାକୁ ଇଶାରା କରିଥିଲେ । କାର୍ ରୋକି ରାଗରେ ଗାଡ଼ିରୁ ବାହାରି ମୋତେ କାହିଁକି ଅଟକାଇଲ ବୋଲି କହିଥିଲେ ଅଭିଯୁକ୍ତ । ଯାହା ପରେ ଟ୍ରାଫିକ ପୁଲିସ ଗାଡ଼ିର କାଗଜପତ୍ର ମାଗିଥିଲେ । କିନ୍ତୁ ଅଭିଯୁକ୍ତ ଗାଡ଼ିର କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିଲେ । କାଗଜପତ୍ର ନଥିବାରୁ ପୁଲିସ ଚାଲାଣ କାଟିବାରୁ ବିଚ୍ ରାସ୍ତାରେ ପାଟି କରିବା ସହ ନିଜର ପୋଷାକ ଫାଡ଼ି ଦେଇଥିଲେ ଅଭିଯୁକ୍ତ । ଏଭଳି କାଣ୍ଡ ପରେ ପୁଲିସ ତାଙ୍କୁ କବ୍ଜାକୁ ନେଇଥିବା ଜଣା ପଡ଼ିଛି ।