ମାଓବାଦୀଙ୍କ ସହ ସଂପୃକ୍ତି ଅଭିଯୋଗ: ଆଦିବାସୀ ନେତା ନିରାକାର ଗିରଫ

ଭଞ୍ଜନଗର: ମାଓ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୌଡ଼ଗୋଠ ଗ୍ରାମର ଦଳିତ ଓ ଆଦିବାସୀ ନେତା ତଥା ଚାଷୀ ମୂଲିଆ ସଂଘ ଓ ଅଖିଳ ଭାରତ କ୍ଷେତ ମଜଦୁର କିଷାନ୍ ସଭାର ଜିଲ୍ଲା ସଭାପତି ନିରାକାର ନାଇକଙ୍କୁ ବଡ଼ଗଡ଼ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କୁ ସୋରଡ଼ା ଜେଏମଏଫସି କୋର୍ଟକୁ ପଠାଯାଇଥିବ‌ା ‌ନେଇ ଅଧିକାରୀ ପି.ସି.ତ୍ରିପାଠୀ ସୂଚନା ଦେଇଛନ୍ତି।

ସୋରଡ଼ା ବ୍ଲକ ଅଧୀନ ବୋର୍ଦ୍ଦା ଅଞ୍ଚଳରେ ୨୦୧୧ ମସିହାରେ ହିଟାଚି ଗାଡ଼ି ପୋଡ଼ି ସହ ମାଓବାଦୀ ଆକ୍ରମଣ ନେଇ କେସ ନମ୍ବର ୪/୧୧ ଅନୁସାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସହ ନିରାକାରଙ୍କ ବି ସମ୍ପୃକ୍ତି ଥିବା ପୁଲିସ କହିଛି। ଅନ୍ୟପକ୍ଷରେ ନିରାକାରଙ୍କ ଗିରଫଦାରୀକୁ ଚାଷୀ ମୂଲିଆ ସଂଘ ଓ ଏଆଇକେଏମ୍‌ଏସ୍‌ ପକ୍ଷରୁ ନିନ୍ଦା କରାଯାଇଛି। ଏ ନେଇ ଜାରି ପ୍ରେସ୍ ବିବୃତିରେ ଦର୍ଶାଯାଇଛି ଯେ, ଆଦିବାସୀଙ୍କ ଜୀବନଜୀବିକା ପାଇଁ ନିରାକାର ଅହରହ ସଂଗ୍ରାମ ଜାରି ରଖିଛନ୍ତି। ସେ ପୂର୍ବରୁ ୨୦୧୧ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଜେଲରେ ଥିବା ବେଳ‌େ ତାଙ୍କ ନାମରେ କୌଣସି ମାମଲା ଦିଆଗଲାନି। ଦୁଇଟି ମାମଲାରେ ନିରାକାର ହାଇକୋର୍ଟରୁ ଜାମିନ୍ ପାଇଛନ୍ତି। ଆଉ ୩ଟି ମାମଲାରେ ସେ ଖଲାସ ହୋଇଛନ୍ତି। ତଥାପି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଗିରଫ କରାଯାଇଛି। ଏହାର ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର