ଅପରାଧୀଙ୍କ ଚାଲେଞ୍ଜ : ତିନି ମୁଣ୍ଡ ଗଡ଼ାଇଲେ

ବାଲୁଗାଁରେ ନାବାଳିକାକୁ ହତ୍ୟା

ବାଲୁଗାଁ : ବାଲୁଗାଁ ଚକ୍ରଧରପୁର ସାହିର ଜଣେ ନାବାଳିକାକୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ମୃତ ନାବାଳିକାଜଣଙ୍କ ହେଲେ, ରବୀନ୍ଦ୍ର ସାହୁଙ୍କ ଏକମାତ୍ର ଝିଅ କାଜଲ (୧୭)। ସେ ନିକଟରେ ଥିବା ଏକ ବିଉଟି ପାର୍ଲର୍‌ରେ କାମ କରନ୍ତି। ସବୁଦିନ ଭଳି ଆଜି ରାତି ପ୍ରାୟ ସାଢ଼େ ୮ଟାରେ କାମ ସାରି ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଛାତି, ପିଠି, ପେଟ, ହାତ ଓ ଗୋଡ଼କୁ ଛୁରିରେ ଅତି ନୃଶଂସ ଭାବେ ଭୁସି ନିକଟସ୍ଥ ଏକ ନାଳରେ ଫିଙ୍ଗି ଦେଇଥିଲା। କିଛି ସମୟ ପରେ ସେହି ବାଟ ଦେଇ ଯାଉଥିବା ସ୍ଥାନୀୟ ଲୋକେ ନାବାଳିକାଙ୍କ ଯନ୍ତ୍ରଣା ଜର୍ଜରିତ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। କିନ୍ତୁ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏମ୍‌କେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ଜିଲ୍ଲା ବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

ଜଗତ୍‌ସିଂହପୁର, ଯାଜପୁରରେ ଦୁଇ ହତ୍ୟାକାଣ୍ଡ

ଜଗତସିଂହପୁର/କବାଟବନ୍ଧ : ଜଗତସିଂହପୁର ଥାନା ଅନ୍ତର୍ଗତ କୂଳତରତଙ୍ଗ ଗାଁରେ ଆଜି ନୃସିଂହ ବାରିକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ କେତେକ ଲୋକ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି। ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ଚନ୍ଦନ ସାହୁ ଜଗତସିଂହପୁର ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟମାନେ ଫେରାର୍‍ ହୋଇ ଯାଇଛନ୍ତି । ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟରେ ଯାଜପୁର ଜିଲ୍ଲାରେ ଆଜି ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଜଣେ ଜେସିବି ଅପରେଟର୍‌ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ବିଛାଖଣ୍ଡି ପାହାଡ ଘଟଣାକୁ ନେଇ ଲାଗିରହିଥିବା ଉତ୍ତେଜନାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଜଗତସିଂହପୁର ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ମୃତ ନୃସିଂହ ବାରିକ୍‌ ନାମରେ ଜଗତସିଂହପୁର, ବାଲିକୁଦା, ନାଉଗାଁ ଓ ତିର୍ତ୍ତୋଲ ଥାନାରେ ଅନେକ ମାମଲା ରହିଛି। ଟେଣ୍ଡର ଫିକ୍ସିଂ, ଦାଦା ବଟି ଭଳି ଅପରାଧିକ କାମରେ ସେ ସଂପୃକ୍ତି ଥିଲା। ବିଭିନ୍ନ ସମୟରେ ଗ୍ରାମବାସୀମାନେ ତା’ ଆକ୍ରୋଶର ଶିକାର ହେଉଥିଲେ। ଗତକାଲି ସେ ଗ୍ରାମର କେତେଜଣ ଲୋକଙ୍କ ସହ ଝଗଡ଼ା କରିଥିଲା ଯାହାକୁ ନେଇ ଆଜି ସଂଧ୍ୟାରେ ଗାଁର ଭାଗବତ ମଣ୍ଡପ ପାଖରେ ଆଲୋଚନା ହେବାକୁ ସମୟ ସ୍ଥିର କରାଯାଇଥିଲା। ତେବେ, ଆଜି ମଧ୍ୟ ସେ କୌଣସି ଏକ ପ୍ରସଙ୍ଗକୁ ନେଇ କେତେଜଣ ଲୋକଙ୍କ ସହ ବଚସା କରିଥିଲା। ପୂର୍ବରୁ ଉତ୍ତ୍ୟକ୍ତ ହୋଇ ରହିଥିବା ଲୋକେ ଅତିଷ୍ଠ ହୋଇ ନୃସିଂହ ମୁହଁକୁ ଲଙ୍କାଗୁଣ୍ଡ ପକାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ନୃସିଂହର ମୁଣ୍ଡ, ହାତ, ପେଟ ଓ ଛାତିରେ ଗୁରୁତର କ୍ଷତ ହୋଇଥିଲା। ଆକ୍ରମଣକାରୀମାନେ ନୃସିଂହର ଡାହାଣ ହାତକୁ ହାଣି ଦେହରୁ ଅଲଗା କରି ଦେଇଥିଲେ। ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇଯାଇଥିଲା। ମୃତକର ମା’ କହିଛନ୍ତି ଯେ, ତାଙ୍କ ପୁଅ ଗାଁର ଅଙ୍ଗନବାଡ଼ି ଘର କାମ କରୁଥିଲେ। କେତେଜଣ ଯୁବକ ତାଙ୍କୁ ଦାଦା ବଟି ମାଗିଥିଲା। ସେ ବଟି ନଦେବାରୁ ସେମାନଙ୍କ ଭିତରେ ଝଗଡ଼ା ହୋଇଥିଲା। ଆଜି ଆଲୋଚନା ହେବାକୁ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି। ଥାନା ଅଧିକାରୀ ଶ୍ରୀ ମିଶ୍ର କହିଛନ୍ତି ଯେ, ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି ଓ ଖବର ଲେଖା ହେବା ପର୍ଯ୍ୟନ୍ତ ଗାଁ ଦାଣ୍ଡରେ ନୃସିଂହର ମୃତଦେହ ପଡ଼ି ରହିଥିଲା।

ଆମ କବାଟବନ୍ଧ ପ୍ରତିନିଧିଙ୍କ ଖବର ଅନୁସାରେ ଜେନାପୁର ଥାନା ଅନ୍ତର୍ଗତ ନୂଆତାଳଜଙ୍ଗ ଗ୍ରାମର ଆନନ୍ଦ ସେଠୀଙ୍କ ପୁଅ ଗୋପବନ୍ଧୁ ଓରଫ ଗୋକୁନୀ (୨୨)। ସେ ଜଣେ ଜେସିବି ଅପରେଟର୍‌ ଭାବେ କାମ କରନ୍ତି। ଗତକାଲି ରାତି ୧୧ଟା ସମୟରେ ଗୋପବନ୍ଧୁ ଗ୍ରାମରେ ଚାଲିଥିବା ଅଷ୍ଟପ୍ରହର ନାମଯଜ୍ଞ ନିକଟରେ ଉପସ୍ଥିତ ଥିଲେ। ଏହାପରେ ସେ ଫୋନ୍‌ରେ କଥା ହୋଇହୋଇ ଗ୍ରାମଠାରୁ ଅଧକିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟ ଆଡକୁ ଯାଉଥିବା ଗ୍ରାମର କିଛି ଲୋକ ଦେଖିଥିଲେ। ଏହାପରେ ତାଙ୍କର ଦେଖାଦର୍ଶନ ମିଳିନଥିଲା। ରାତି ପ୍ରାୟ ୨ଟା/୩ଟା ବେଳେ ପରିବାର ଲୋକ ଖୋଜାଖୋଜି କରିବାରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ମିଳିଥିଲା। ଦୁର୍ବୃତ୍ତମାନେ ଅତି ନୃଶଂସ ଭାବେ ତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର