ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଚାଳକ ଗିରଫ

ଭୁବନେଶ୍ବର: ପଳାସୁଣୀ ଦୁର୍ଗାମଣ୍ଡପ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବୀରେନ୍ଦ୍ର ସ୍ବାଇଁ(୨୨)। ଘର କେନ୍ଦ୍ରାପଡ଼ା ଜିଲ୍ଲା ନରଣପୁର ଅଞ୍ଚଳ। ଏଠାରେ ସହିଦନଗରରେ ରହି ପାହାଳ ସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ‌ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଚାଳକ ଡମଣା ଅଞ୍ଚଳର ସନ୍ତୋଷ ବେହେରା(୩୭କୁ ଗିରଫ କରିଛି। ଶନିବାର ଅପରାହ୍ଣ ପ୍ରାୟ ୩ଟାରେ ସନ୍ତୋଷ ପାହାଳରୁ ସହିଦନଗର ସ୍ଥିତ ଘରକୁ ଫେରୁଥିଲେ। ସେ ପଳାସୁଣୀ ଦୁର୍ଗାମଣ୍ଡପ ଅତିକ୍ରମ କରୁଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ତାଙ୍କ ବାଇକ୍‌ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍‌ ସହ ୧୦ମିଟର ଉପରକୁ ଉଠି ଡିଭାଇଡର୍‌ରେ ପିଟି ହୋଇଯାଇଥିଲେ। ସେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ସେଠାରେ ଯାତାୟାତ ବନ୍ଦ ହୋଇଯାଇଥିଲା। ମଞ୍ଚେଶ୍ବର ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସନ୍ତୋଷଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର