ଟ୍ରକ୍‌ ଅପହରଣ କରି ୩ ଲକ୍ଷ ୫୦ ହଜାର ଟଙ୍କାର ପିଆଜ ଲୁଟ୍‌

ପାଟନା: ଗୁରୁବାର ରାତିରେ ବିହାରର କୈମୁର୍‌ ଜିଲ୍ଲା ଅନ୍ତର୍ଗତ ମୋହନିଆ ଥାନା ଅଞ୍ଚଳର ପୁରୁଣା ଗ୍ରାଣ୍ଡ୍‌ ଟ୍ରଙ୍କ୍‌ ରୋଡ୍‌ରେ ଗୋଟାଏ ଟ୍ରକ୍‌ରୁ ସଶସ୍ତ୍ର ଡକାୟତମାନେ ୩.୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୫ ଟନ୍‌ ପିଆଜ ଲୁଟ୍‌ କରି ନେଇଛନ୍ତି।

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ରାତି ପ୍ରାୟ ୧୦: ୩୦ ବେଳେ ଗୋଟାଏ କାର୍‌ ଯୋଗେ ୬ ଜଣ ଡାକୁ ଆସି ଗ୍ରାଣ୍ଡ୍‌ ଟ୍ରଙ୍କ୍‌ ରୋଡ୍‌ର ମୁଥାନି ବୁଲାଣି ରାସ୍ତାରେ ପିଆଜ ଟ୍ରକ୍‌କୁ ଅଟକାଇ ଡ୍ରାଇଭର୍‌ ଦେଶ ରାଜ୍‌ଙ୍କୁ ପିସ୍ତଲ ଦେଖାଇ ଡରାଇଥିଲେ। ତା’ପରେ ୧୦୨ ବସ୍ତା ପିଆଜ ଥିବା ସେ ଟ୍ରକ୍‌କୁ ଅପହରଣ କରି ଗୋଟାଏ ଅଜ୍ଞାତ ସ୍ଥାନକୁ ନେଇ ପିଆଜ ବସ୍ତା କାଢ଼ି ପକାଇଥିଲେ।

Image Source: GVM News

ଏହାପରେ ଦୁର୍ବୃତ୍ତମାନେ ଟ୍ରକ୍‌ ଚାଳକ ଦେଶ ରାଜଙ୍କୁ କାର୍‌ରେ ବସାଇ ନେଇ ପ୍ରାୟ ୪ ଘଣ୍ଟାର ରାସ୍ତା ଅତିକ୍ରମ କରିବା ପରେ ଗୋଟାଏ ନିକାଞ୍ଚନ ସ୍ଥାନରେ ଓହ୍ଲାଇ ଦେଇଥିଲେ। ଟ୍ରକ୍‌ଟି କୈମୁର୍‌ ଜିଲ୍ଲାର କୁଦ୍ରା ଥାନା ଅନ୍ତର୍ଗତ ପୁସାଉଲି ଠାରେ ଥିବା ଗୋଟାଏ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ରଖାଯାଇଥିବାର ଦେଖିବ ବୋଲି ସେମାନେ ଡ୍ରାଇଭର୍‌କୁ କହିଥିଲେ। ସେତେବେଳକୁ ରାତି ଦୁଇଟା ବାଜି ସାରିଥିଲା।

ଗୋଟାଏ କିଲୋମିଟର ଚାଲି ଚାଲି ଆସିବା ପରେ ଗୋଟାଏ ମିନି ଟ୍ରକ୍‌ରେ ଲିଫ୍‌ଟ୍‌ ମାଗି ଦେଶ ରାଜ ସେଠାରେ ପହଞ୍ଚିଥିଲେ। ତା’ପରେ ଆହ୍ଲାବାଦରୁ ସେ ପିଆଜ ସବୁ ମଗାଇଥିବା ଜେହାନାବାଦର ବ୍ୟବସାୟୀ ମହମ୍ମଦ ମିନ୍‌ହାଜ୍‌ ରୟେସ୍‌ଙ୍କୁ ଏ ବିଷୟରେ କହିଥିଲେ।

ମୋହନିଆ ଥାନାରେ ଏ ସଙ୍କ୍ରାନ୍ତରେ ‘ଏଫ୍‌ଆଇଆର୍‌’ ଦିଆଯାଇଛି।

ସମ୍ବନ୍ଧିତ ଖବର