ଟ୍ରକ୍‌ କାଚ ଭାଙ୍ଗି ଲୁଟ୍‌ ଘଟଣାରେ ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ବର-ପୁରୀ ବାଇପାସ୍‌ ଛକରେ ଟ୍ରକ୍‌ରୁ ଲୁଟ୍‌ ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଚକେଇସିଆଣି ମା’ ପାଟଦେଇ ବସ୍ତିରେ ରହୁଥିବା ବନମାଳିପୁରର ପ୍ରଭାତ ଜେନା, ଡେଲାଙ୍ଗ ବୁଆଳିର ଶିବବ୍ରତ ମହାରଣା, ପାରାଦ୍ବୀପଗଡ଼ର ରାଜେଶ ପାଲ ଓ ଧିରିକୁଟି ବସ୍ତିରେ ରହୁଥିବା ନୟାଗଡ଼ କୋମଡ଼ାର ରଞ୍ଜନ ନାୟକ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ଏକ ବାଇକ୍‌(ଓଡି୦୨-ଏଡବ୍ଲୁ ୭୯୩୬) ସହ ୬ ହଜାର ଟଙ୍କା ଓ ଏକ ମୋବାଇଲ ଜବତ ହୋଇଛି। ଗତ ମଙ୍ଗଳବାର ସତ୍ୟସାଇ ଟ୍ରାନ୍‌ସପୋର୍ଟରୁ ଗହମ ଓ କିଛି ମଞ୍ଜି କଟକରୁ ଲୋଡ୍‌ କରି ଗୁଣୁପୁର ଅଭିମୁଖେ ଯାଉଥିବା ଟ୍ରକ୍‌(ଏପି ୦୭ୱାଇ-୩୧୧୯)ରୁ ଲୁଟ୍‌ ହୋଇଥିଲା। ରାତି ସାଢ଼େ ୩ଟା ବେଳେ ପୁରୀ ବାଇପାସ୍‌ ନିକଟରେ ୭ ଜଣ ଯୁବକ ଟ୍ରକ୍ଟକୁ ଅଟକାଇ ହେଲ୍‌ପର ଗଜପତି ଗୁରାଣ୍ଡି ସାରିଆପଲ୍ଲିର ଆସପନା ସୁନୀଲ କୁମାରଙ୍କୁ ମାଡ଼ ମାରିଥିଲେ। ଏହାସହ ତାଙ୍କଠାରୁ ୧୫ହଜାର ଟଙ୍କା ନେଇଯାଇଥିଲେ। ସୁନୀଲଙ୍କ ତଥ୍ୟ ଆଧାରରେ ମଞ୍ଚେଶ୍ବର ପୁଲିସ ସମ୍ପୃକ୍ତ ବାଇକ୍‌ ନମ୍ବରକୁ ଟ୍ରାକ୍‌ କରି ଅଭିଯୁକ୍ତମାନଙ୍କୁ ଧରିଥିଲା। ବାକି ୩ ଜଣଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ‌ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର