ଭୁବନେଶ୍ବର: ଡେଲ୍‌ଟା ସ୍ଥିତ ଏକ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ତ୍ରିଶୂଳ କୁମାର ପ୍ରଧାନ(୨୬) ଓ ମୟୂରଭଞ୍ଜ ଜିଲ୍ଲା ‌ହିନ୍ଦୋଳ ଅଞ୍ଚଳର ରୂପକ ଶତପଥୀ(୩୨)। ରୂପକ ଏଠାରେ ଡେଲ୍‌ଟା କଲୋନିରେ ରହେ। ପୁଲିସ ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ତ୍ରିଶୂଳ ଓ ରୂପକ ମିଶି ଡେଲ୍‌ଟାସ୍ଥିତ ଏସ୍‌ବିଆଇ ଏଟିଏମ୍‌କୁ କଟର ସାହାଯ୍ୟରେ କାଟି ଟଙ୍କା ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ପିସିଆର-୧୫ ଓ ୧୯ ଉଭୟ ଲୁଟେରାଙ୍କ ଏଭଳି କାଣ୍ଡ ଦେଖି ସେଠାରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ଲୁଟେରା ଦ୍ବୟ ଫେରାର୍‌ ଉଦ୍ୟମ କରିଥିଲେ। ହେଲେ ପୁଲିସ ହାତରୁ ଖସିପାରି ନଥିଲେ। କିଛି ସମୟ ଗୋଡ଼ାଗୋଡ଼ି ପରେ ପୁଲିସ ଉଭୟଙ୍କୁ କାବୁ କରିଥିଲା। ଉଭୟଙ୍କୁ ଥାନାକୁ ଆଣି ପଚରା ଉଚରା ପରେ ଆଜି ପୁଲିସ କୋର୍ଟ ଚାଲାଣ କରିଛି।