ମୁମ୍ବାଇ: ଧାରାବାହିକର ସୁଟିଂ ସେଟରୁ ମିଳିଲା ତୁନିଶାଙ୍କ ଚିଠି। ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଥିବା ବେଳେ ପୁଲିସ ତଦନ୍ତ ଚଳାଇଛି। ଏନେଇ ତୁନିଶାଙ୍କ ପୂର୍ବ ପ୍ରେମିକ ଶିଜାନ ଖାନଙ୍କୁ କଷ୍ଟଡିକୁ ନେଇ ପଚରାଉଚର କରୁଛି ପୁଲିସ। ତେବେ ତଦନ୍ତ ପାଇଁ ତୁନିଶା ଆତ୍ମହତ୍ୟା କରିଥିବା ଧାରାବାହିକର ସୁଟିଂ ସେଟକୁ ସିଲ୍ କରାଯାଇଥିବା ବେଳେ ଏବେ ସେଠାରୁ ଏକ ଚିଠି ମିଳିଥିବା ପୁଲିସ କହିଛି।
ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଥିବା ଟିଭି ସୋ’ 'ଅଲି ବାବା: ଦାସ୍ତାନ-ଇ-କାବୁଲ'ର ସେଟର ମେକଅପ୍ ରୁମରୁ ତୁନିଶାଙ୍କ ଚିଠି ମିଳିଛି। ଏଥିରେ ଲେଖାଯାଇଛି "ମୋ ଭଳି ସହ କଳାକାର ପାଇ ସେ ବହୁତ ଖୁସି"। ସେହି କାଗଜରେ ତୁନିଶା ଏବଂ ତାଙ୍କ ପୂର୍ବତନ ପ୍ରେମିକା ଶିଜାନ ମହମ୍ମଦ ଖାନଙ୍କ ନାମ ମଧ୍ୟ ଲେଖାଯାଇଥିବା ଦେଖାଯାଇଛି। ଟିଭି ସୋ’ରେ ଉଭୟ ତୁନିଶା ଏବଂ ଶିଜାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।
ତେବେ ଶିଜାନଙ୍କ କଷ୍ଟଡି ଅବଧି ବଢ଼ିଥିବା ବେଳେ ସେ ବାରମ୍ବାର ନିଜ ବୟାନ ବଦଳାଉଥିବା କହିଛି ପୁଲିସ। ମହିଳା ଅଧିକାରୀଙ୍କ କହିବାନୁସାରେ, ଅଭିନେତା ଶିଜାନ ଏପର୍ଯ୍ୟନ୍ତ ସ୍ପଷ୍ଟ ବୟାନ ଦେଇନାହାନ୍ତି । ପଚରାଉଚରା ବେଳେ ସେ କାନ୍ଦିବା ଆରମ୍ଭ କରିଥିଲେ ବୋଲି ଆମକୁ ଅଧାରୁ ପଚରାଉଚରା ବନ୍ଦ କରିବାକୁ ପଡ଼ିଥିଲା। ପୁଣି ଥରେ ବ୍ରେକଅପ ପଛର କାରଣ ଜାଣିବାକୁ ଆମେ ଚେଷ୍ଟା କରିବୁ। ତେବେ ଏକାଧିକ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଆରୋପକୁ ଗ୍ରହଣ କରିନାହାନ୍ତି ଶିଜାନ।