ପୁଲିସ ହାଜତରେ ହେଲା ବାପ-ପୁଅଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କରୋନା କଟକଣା ମାନି ନଥିବାରୁ ଗିରଫ କରିଥିଲା ପୁଲିସ

ଚେନ୍ନାଇ: ଗତ ଶୁକ୍ରବାର ଦିନ ଟୁଟିକୋରିନରେ ମୋବାଇଲ୍ ଫୋନ୍ ଦୋକାନକୁ ନିର୍ଧାରିତ ସମୟ ପରେ ଖୋଲା ରଖିଥିବାରୁ ଦୁଇ ବାପା ଓ ପୁଅଙ୍କୁ ଗିରଫ କରାଯାଇଥିଲା | ଏବେ ଦୁହିଁଙ୍କର ପୁଲିସ କଷ୍ଟଡିରେ ମୃତ୍ୟୁ ହେବା ପରେ ପରିବାର ଲୋକେ ପୁଲିସ ଉପରେ ହତ୍ୟାର ଅଭିଯୋଗ ଆଣିଛନ୍ତି | ଏହା ସହ ଦୁଇ ମୃତକଙ୍କୁ ନ୍ୟାୟ ଦେବା ପାଇଁ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓଲ୍ହାଇଛନ୍ତି | ଗତକାଲି ରାତିରେ ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ ଜୟରାଜ ଏବଂ ତାଙ୍କ ପୁଅ ପେନିସଙ୍କ ଶବ ନେବାକୁ ମନା କରିଦେଇଥିବା ଜଣା ପଡିଛି |

ପରିବାର ଲୋକଙ୍କ କହିବା ମୁତାବକ, ଜୟରାଜ ଏବଂ ପେନିସଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିବା ସହ ତାଙ୍କ ଶରୀରରେ ଅନେକ କ୍ଷତ ସ୍ଥାନ ରହିଛି | ଦୁହିଁଙ୍କୁ ପୁଲିସ ମାଡ଼ ମାରି ହତ୍ୟା କରିଛି | ଜୟରାଜଙ୍କ ଝିଅ ପର୍ସିସ୍ କହିଛନ୍ତି, ଦୁହିଁଙ୍କୁ ହତ୍ୟା କରାଯାଇଛି। ସେମାନଙ୍କୁ ମୃତ୍ୟୁପୂର୍ବରୁ ନିର୍ଯାତନା ଦିଆଯାଇଛି, ଯାହାକୁ ମୁଁ ଜଣେ ମହିଳା ଭାବରେ ବର୍ଣ୍ଣନା କରିପାରିବି ନାହିଁ | ଯେପର୍ଯ୍ୟନ୍ତ ମୋ ବାପା ଓ ଭାଇଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ପୁଲିସକର୍ମୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇନାହିଁ, ସେ ପର୍ଯ୍ୟନ୍ତ ଆମେ ଶବ ଗ୍ରହଣ କରିବୁ ନାହିଁ। ତେବେ ପରିବାର ଲୋକଙ୍କ ଏଭଳି ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ବରିଷ୍ଠ ପୁଲିସ ଅଧିକାରୀ ନିର୍ଦେଶ ଦେଇଛନ୍ତି |

ସୂଚନା ମୁତାବକ, ସନ୍ଥନକୁଲମରେ ମୋବାଇଲ୍ ଫୋନ୍ ଷ୍ଟୋର୍‌ ଚଳାଉଥିବା ଜୟରାଜ ଏବଂ ତାଙ୍କ ପୁଅଙ୍କୁ ଗତ ଶୁକ୍ରବାର ଗିରଫ କରାଯାଇଥିଲା। ଗିରଫ ପରେ ପୁଲିସ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା ବୋଲି ପରିବାର ଲୋକେ କହିଛନ୍ତି | ଗିରଫ ହେବାର କିଛି ଦିନ ପରେ ପେନିସଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଜୟରାଜଙ୍କ ଶରୀରର ତାପମାତ୍ରା ବଢ଼ିବାରୁ ତାଙ୍କୁ ମଧ୍ୟ ଡାକ୍ତରଖାନା ନିଆଯାଇଥିଲା | ଡାକ୍ତରଖାନାରେ ଦୁହିଁଙ୍କ ଚିକିତ୍ସା ଚାଲୁଥିବା ସମୟରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା |

ସମ୍ବନ୍ଧିତ ଖବର