ଲୁଟ୍‌ ଅଭିଯୋଗରେ ୨ ଗିରଫ

ଖଣ୍ଡଗିରି : ଗତକାଲି ବିଳମ୍ବିତ ରାତିରେ ଯାଁଳା-କାଶୀପୁର ରାସ୍ତାରେ ବାଦଲ୍‌ ବାରିକ ନାମକ ଜଣେ ଯୁବକଙ୍କୁ ଲୁଟ୍‌ ପାଇଁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଆଜି ସ୍ଥାନୀୟ ଫାଣ୍ଡି ପୁଲିସ ୨ ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବାଢ଼ାପଡ଼ାର ଖଗେଶ୍ୱର ବାଗ୍‌(୨୩) ଓ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା କଟାଙ୍ଗ ଗାଁ କ୍ଷୀରୋଦ ବାଢ଼ା(୨୧)। ଏମାନେ ଯାଁଳା ଶିଳ୍ପାଞ୍ଚଳସ୍ଥିତ ଏକ ଇଟା କାରଖାନରେ କାମ କରୁଥିବା ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ୧୧ଟାରେ ବାଦଲ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଯାଁଳା-କାଶୀପୁର ରାସ୍ତାରେ ଯାଉଥିବାବେଳେ ହଠାତ୍‌ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଅଟକାଇ ତାଙ୍କ ମୋବାଇଲ୍‌ ଓ ପର୍ସ ଲୁଟି ନେବାକୁ ଉଦ୍ୟମ କରିଥିଲେ। ମାତ୍ର ବାଦଲ ସେମାନଙ୍କୁ ପ୍ରତିରୋଧ କରିବାରୁ ଅଭିଯୁକ୍ତଦ୍ୱୟ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ବାଦଲଙ୍କ ମୁହଁ ଓ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। କିନ୍ତୁ ବାଦଲଙ୍କ ପାଟି ଶୁଣି କିଛି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଲୋକଙ୍କ ପାଟି ଶୁଣି ଅଭିଯୁକ୍ତ ଦ୍ୱୟ ଘଟଣାସ୍ଥଳରୁ ଦୌଡ଼ିଥିଲେ। ଖବର ପାଇ ବାଦଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ। ତେବେ ଗାଁର ଯୁବକମାନେ ବାଦଲଙ୍କଠାରୁ ସୂଚନା ପାଇ ଦୁର୍ବୃତ୍ତଦ୍ୱୟଙ୍କୁ ଖୋଜିବା ଆରମ୍ଭ କରିଥିଲେ। କିଛି ସମୟ ପରେ ଯୁବକମାନେ ନିକଟସ୍ଥ ଏକ ଫାର୍ମ ଭିତରୁ ଖଗେଶ୍ୱରକୁ କାବୁ କରି ନେଇଥିଲେ। ପରେ ଯୁବକମାନେ ଯାଁଳା ଫାଣ୍ଡି ପୁଲିସକୁ ଖବର ଦେବା ସହ ଖଗେଶ୍ୱରକୁ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର