ବ୍ୟବସାୟୀଙ୍କୁ ମାରପିଟ୍‌, ଟଙ୍କା ହଡ଼ପ: ୨ ଗିରଫ

ଚନ୍ଦ୍ରଶେଖରପୁର : ଜଣେ ବ୍ୟବସାୟୀଙ୍କ ଟଙ୍କା ହଡ଼ପ କରିବା ସହ ତାଙ୍କୁ ମାରପିଟ୍‌ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ତୋଷାଳି ମେଳାରେ ବ୍ୟବସାୟ କରୁଥିବା ୨ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କିରଛି। ସେମାନେ ହେଲେ, କଟକ ଦିୱାନ୍ ବଜାର ଅଞ୍ଚଳର ୱାସିମ୍ ଚୌଧୁରି (୫୮) ଓ ସବିର୍ ଅଲ୍ଲୀ(୩୦)। ପୁଲିସ ସୂତ୍ରରୁ ପ୍ରକାଶ, ଜନତା ମଇଦାନରେ ଚାଲିଥିବା ତୋଷାଳି ମେଳାରେ ୱାସିମ୍ ଓ ସବିର୍ ମ୍ୟାଟ୍ ବ୍ୟବସାୟ କରୁଥିଲେ। ତାଙ୍କ ନିକଟକୁ ଷ୍ଟଲ୍‌ ପକାଇଥିବା ବ୍ୟବସାୟୀ ଇନ୍ତଜାର୍ ଅହମ୍ମଦ(୨୮)ଙ୍କ ନିକଟ‌ରେ ସ୍ୱାଇପ୍‌ ମେସିନ୍‌ ନଥିଲା। କିନ୍ତୁ ଯେଉଁ ଗ୍ରାହକମାନେ ତାଙ୍କ ନିକଟରୁ ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ ଜରିଆରେ ଜିନିଷ କିଣିବାକୁ ଚାହୁଥିଲେ, ସେ ତାଙ୍କୁ ୱାସିମ୍‌ଙ୍କ ମେସିନ୍‌ରେ ଟଙ୍କା ପଇଠ କରିବାକୁ କହୁଥିଲେ। ଏଥିପାଇଁ ୱାସିମ୍‌ ଓ ଇନ୍ତଜାରଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା। ବ୍ୟବସାୟ ସରିବା ପରେ ୱାସିମ୍‌ ନଗଦ ଆକାରରେ ଅହମ୍ମଦଙ୍କୁ ତାଙ୍କ ସବୁ ଟଙ୍କା ଫେରାଇବା କଥା। କିନ୍ତୁ ସ୍ୱାଇପ୍‌ ମେସିନ୍‌ ଜରିଆରେ ପଇଠ ହୋଇଥିବା ଅହମ୍ମଦଙ୍କ ମୋଟ ୬୫ ହଜାର ଟଙ୍କାକୁ ୱାସିମ୍‌ ଦେଇନଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସହଯୋଗୀ ସବିର୍‌ ସହ ମିଶି ୱାସିମ୍‌ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏ ସଂପର୍କରେ ଅହମ୍ମଦ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର