ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଆକ୍ରମଣ ଘଟଣା : ୨ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ଭୁବନେଶ୍ୱର : ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଆଜି ନୂଆପଲ୍ଲୀ ଥାନା ପୁଲିସ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ତାଙ୍କ ନାଁ ବିଶ୍ୱନାଥ ପଣ୍ଡା ଓ ସଞ୍ଜୟ ନାୟକ। ଦିଲ୍ଲୀପ ସାହୁ ନାମକ ଜଣେ ଯୁବକଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ମେ’ ଫେୟାର ନିକଟରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏନେଇ ଦିଲ୍ଲୀପ ଗତ ଫେବ୍ରୁଆରିରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତକାଲି ରାତିରେ ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମେ’ ଫେୟାର ନିକଟରେ ଥିବା ଜଣେ ଯୁବକଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିବାରୁ ସେ ଘଟଣା ବିଷୟରେ ସତ କଥା ମାନି ଯାଇଥିଲା। ସେହି ତଥ୍ୟକୁ ଆଧାର କରି ପୁଲିସ ଆଜି ସକାଳୁ ରସୁଲଗଡ଼ ଜଗନ୍ନାଥ ନଗରରେ ଚଢ଼ଉ କରି ଏହି ଆକ୍ରମଣରେ ସଂପୃକ୍ତ ଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱନାଥ ପଣ୍ଡା ଓ ସଞ୍ଜୟ ନାୟକଙ୍କୁ ପୁଲିସ ଗିରଫ କରିଥିଲା। ପୁଲିସ ସେମାନଙ୍କ ନିକଟରୁ ଏକ ବାଇକ୍‌ ଓ ଏକ ଖେଳନା ବନ୍ଧୁକ ଜବତ କରିଛି। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କଲେ ଆକ୍ରମଣରେ ସାମିଲ ଥିବା ଅନ୍ୟ ଯୁବକମାନଙ୍କ ପରିଚୟ ମିଳିବ ବୋଲି ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର