ଜୁଆ ଖେଳ ଏଜେଣ୍ଟ ଉପରେ ପୁଲିସର ଚଢ଼ାଉ, ୨ ଗିରଫ

ଛୋଟ ମାଛ ଉପରେ କାର୍ଯ୍ୟାନୁଷ୍ଠାନ, ବଡ଼ ମାଛ ଧରାପଡ଼ିବ କେବେ ?

ଦେଓଗାଁ: ଦେଓଗାଁ: ଟଙ୍କାକରେ ଅଶୀ ଟଙ୍କାର ମୋହରେ ପଡ଼ି ଲୋକେ ଜୁଆ ଖେଳୁଛନ୍ତି। ପିଲା, ବୁଢା, ଟୋକା, ସ୍କୁଲ କଲେଜ ଛାତ୍ର, ମହିଳା ସୁଦ୍ଧା ଏହି ଜୁଆ ଖେଳର ମୋହରେ ପଡିଛନ୍ତି। ଦିନ ତମାମ ବିଭିନ୍ନ ପଡ଼ାରେ କିଛି ଟୋକାକୁ ନେଇ ଜୁଆ ପଟି ଲେଖାଯିବା ସହ ଓପନ, କ୍ଲୋଜ, ଯୋଡି ଆଦିର ଖେଳ ଜମୁଥିଲା। ଦୀର୍ଘ ଦିନ ଧରି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଚାଳୁଥିବା ଜୁଆ ଖେଳ ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡ଼ିଛି ପୁଲିସ।

ଜୁଆ ଖେଳାଉ ଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଛି ପୁଲିସ। କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ହଠାତ ଚେଇଁ ଉଠି ଛୋଟ ମାଛଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଯାହା ଫଳରେ ଜୁଆ (ସଟ୍ଟା) ଲେଖୁଥିବା ଏଜେଣ୍ଟ ଗାଇବାହଲ ଗାଁର ସତ୍ୟପ୍ରିୟ ଷଡ଼ଙ୍ଗୀ ଓ କୁତୁର୍ଲା ପର୍ଶୁପାଲିର ସନ୍ତୋଷ ଚନ୍ଦନ (ନନ୍ଦଲାଲ)କୁ ଗିରଫ କରିଛି ପୁଲିସ। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି। ଉଭୟ ଏଜେଣ୍ଟଙ୍କ ଠାରୁ ୨୭ ଶହ ଟଙ୍କା ଜବତ କରିଥିବା ଦେଓଗାଁ ଓଆଇସି ରଞ୍ଜନ ବରିହା କହିଛନ୍ତି।

ସୂଚନାଯୋଗ୍ୟ ଯେ ଦେଓଗାଁ ଅଞ୍ଚଳରେ ନିଜ କଷ୍ଟ ଉପାର୍ଜିତ ଅର୍ଥର ସିଂହଭାଗ ସଟ୍ଟା ଖେଳରେ ଲଗାଇ ଦେଉଥିବା ବେଳେ ଗଦିବାଲା ମାଲାମାଲ ଓ ସାଧାରଣ ଲୋକେ କାଙ୍ଗାଳ ପାଲଟୁଛନ୍ତି। ମହାମାରୀ କରୋନା ସମୟରେ ବିଭିନ୍ନ ପରିବାର ମଧ୍ୟରେ ଏହି ସଟ୍ଟାକୁ ନେଇ ଘରେ ଘରେ ଅସନ୍ତୋଷ ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଏହି ବେଆଇନ କାରବାର ଚାଲୁଥିବା ବେଳେ କରୋନା ମହାମାରୀ ସମୟରେ ମଧ୍ୟ ଦେଓଗାଁର ପଡାମାନଙ୍କରେ ସଟ୍ଟା ପାଇଁ ଅର୍ଥ ଆଦାୟ କରାଯାଉଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର