ଅନୁଗୁଳ: ପତିପତ୍ନୀ ଓ ୭ ବର୍ଷର ପୁଅର ତଣ୍ଟି କାଟି ହତ୍ୟା ଘଟଣାରେ ଦୁଇ ଗିରଫ

ଲୁଟ୍‌ ପାଇଁ କରିଥିଲେ ଟ୍ରିପ୍‌ଲ ମର୍ଡର,ମାଷ୍ଟରମାଇଁଣ୍ଡ ପୁଲିସ ପାଇଁ ଅପହଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସଞ୍ଜାମରା ଗମ୍ଭାରିମଲିହା ଗାଁରେ ମାତ୍ର ୩ ମାସ ତଳେ ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ, ତାଙ୍କ ନବ ବିବାହିତା ସ୍ତ୍ରୀ ଓ ତାଙ୍କ ସାତ ବର୍ଷର ପୁଅଙ୍କ ଗଳାକାଟି ହତ୍ୟା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଉଛନ୍ତି ସମ୍ପର୍କୀୟ ଶଳା ଭିଣୋଇ। ଗିରଫ ଦୁଇଜଣ ହେଉଛନ୍ତି ହତ୍ୟାର ଶିକାର ହୋଇଥିବା ବିରଞ୍ଚି ନାୟକଙ୍କ ନିଜ ଗ୍ରାମ ଗମ୍ଭାରିମଲିହା ଗାଁର ନନ୍ଦକିଶୋର ସେଠୀ ଓ ତାଙ୍କ ଭିଣୋଇ ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକ ସାହିର ବାବୁଲି ବେହେରା। ସେହିପରି ପୁଲିସ ଏହିଗିରଫ ଦୁଇଜଣଙ୍କ ଠାରୁ ପାଇଥିିବା ତଥ୍ୟ ଆଧାରରେ ହତ୍ୟାକାଣ୍ଡର ବ୍ୟବହୃତ ଛୁରିକୁ ମଧ୍ୟ ଜବତ କରିଛି। ତେବେ ସେମାନେ ଲୁଟ୍‌ କରି ନେଇଥିବା ସୁନାଗହଣା ଓ ନଗଦ ଏକ ଲକ୍ଷ ୭୫ ହଜାର ଟଙ୍କା ଏ ପର୍ଯ୍ୟନ୍ତ ଜବତ କରାଯାଇ ପାରି ନାହିଁ। ହତ୍ୟାକାଣ୍ଡର ମାଷ୍ଟମାଇଣ୍ଡ କୁହାଯାଉଥିବା ମହିଳାଜଣକ ଏବେ ବି ଫେରାର ରହିଛନ୍ତି।
ସୂଚନା ଯୋଗ୍ୟ ଯେ ଗତ ୯ତାରିଖ ସକାଳେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି- ଠାକୁରଗଡ଼ ରାସ୍ତାର ଗୋକଣ୍ଡା ନନ୍ଦତଇଲା ପୋଲ ତଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ମିଳଥିଲା। ଜିନ୍‌ ପ୍ୟାଣ୍ଟ ପରିହିତ ଏହି ଯୁବକଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ତାଙ୍କୁ ପୋଲ ତଳକୁ ଫିଙ୍ଗି ଦିଆଯାଇଥିଲା। ମୃତ ଯୁବକଙ୍କ ଜଣକ ଅନୁଗୁଳ ଜିଲ୍ଲା କିଶୋରନଗର ସଞ୍ଜାମରା ଗମ୍ଭାରିମଲିହା ଗାଁର ବିରଞ୍ଚି ନାୟକ (ନାୟକ) ବୋଲି ପରେ ଜଣାପଡ଼ିଥିଲା। ଅପରପକ୍ଷେ ଅନୁଗୁଳ ଜିଲ୍ଲା କିଶୋରନଗର ସଞ୍ଜାମରା ଗମ୍ଭାରିମଲିହା ଗାଁର ଏକ ହରଡ଼ କିଆରିରେ ବିରଞ୍ଚିଙ୍କ ପତ୍ନୀ ତାରିଣୀ ନାୟକଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହକୁ ପୁଲିସ ଜବତ କରିଥିଲା। ତାଙ୍କ ତଣ୍ଟିକୁ ମଧ୍ୟ କୌଣସି ଏକ ଧାରୁଆ ଅସ୍ତ୍ରରେ କଟାଯାଇଥିିବା ଦେଖିବାକୁ ମିଳିଥିଲା। ଏହାର ୩/୪ ଘଣ୍ଟା ପରେ ବିରିମୁଣ୍ଡା ଜଙ୍ଗଲରେ ବିରଞ୍ଚିଙ୍କ ୭ ବର୍ଷର ପୁଆର ତଣ୍ଟିକଟା ମୃତ ଦେହ ପୁଲିସ ଜବତ କରିଥିଲା।
ସୂଚନା ଯୋଗ୍ୟ ଯେ ବିରଞ୍ଚିଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ବିରଞ୍ଚି ମାତ୍ର ୩ ମାସ ତଳେ ତାରିଣୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିରଞ୍ଚିଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ସେମାନଙ୍କର ଏକ ୭ ବର୍ଷର ପୁଅ ଓ ୧ ବର୍ଷର ଥିଲା। ବିରଞ୍ଚି ନିଜ ବ୍ୟବସାୟ ବଢ଼ାଇବା ପାଇଁ ଏକ ଏସଏସଜିରୁ ୧ ଲକ୍ଷ ୭୫ ହଜାର ଟଙ୍କା ଗତକାଲି ଋଣ ଆଣିଥିଲେ। ମାତ୍ର ଗତ୮ତାରିଖ ରାତିରେ କେତେକ ଡକାୟତ ତାଙ୍କ ଘରେ ପଶି ପ୍ରଥମେ ପତ୍ନୀଙ୍କୁ ହତ୍ୟା କରି ତାଙ୍କର ସମସ୍ତ ସୁନାରୁପା ଅଳଙ୍କାର ଲୁଟି ନେଇଥିଲେ। ଡକାୟତମାନେ ବିରଞ୍ଚିଙ୍କୁ ମାଡ଼ ମାରି ବେହୋସ କରିବା ପରେ ଘର ଭିତରେ ଥିବା ସମସ୍ତ ବାକ୍ସ, ଆଲମିରା ଭାଙ୍ଗି ଟଙ୍କା ପଇସା ଲୁଟିବା ସହିତ ବେହୋସ ଅବସ୍ଥାରେ ବିରଞ୍ଚିଙ୍କ ଧରି ପୋଲ ପାଖକୁ ନେଇଛନ୍ତି ଓ ସେଠାରେ ତାଙ୍କ ଗଳାକାଟି ହତ୍ୟା କରିଛନ୍ତି ବୋଲି ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି। ସେହିପରି ଘଟଣାସ୍ଥଳରୁ ବିରଞ୍ଚିଙ୍କ ୭ ବର୍ଷର ପୁଅ ଏକଲବ୍ୟ ନାୟକ ମଧ୍ର ଅପହୃତ ହୋଇଥିଲା। ପୁଲିସ ତାର ମୃତଦେହ ବିରିମୁଣ୍ଡ ଜଙ୍ଗଲରୁ ୯ ତାରିଖ ଅପରାହ୍ଣରେ ଜବତ କରିଥିଲା।
ଗତ ୯ ତାରିଖ ସକାଳେ ଜଣେ ବ୍ୟକ୍ତି ବିରଞ୍ଚିଙ୍କ ଘରକୁ ଆସିବା ବେଳେ ଦେଖିଥିଲେ ଯେ ବିରଞ୍ଚିଙ୍କ ୧ ବର୍ଷର ଶିଶୁକନ୍ୟାଟିର ଦେହରେ ରକ୍ତି ଲାଗିଛି। ସେ ଗ୍ରାମବାସୀଙ୍କୁ ଡାକ ପକାଇବାରୁ ଘଟଣା ପ୍ରଚାର ହୋଇଥିଲା। ବିରଞ୍ଚିଙ୍କ ଘର ପାଖରେ ରହୁଥିବା ଜଣେ ଭଡ଼ାଟିଆ ମହିଳାଙ୍କ ଉପରେ ବର୍ତ୍ତମାନ ପୁଲିସ ସନ୍ଦେହ ଦୃଢ଼ିଭୂତ କରିଛି। ବିଶେଷକରି ହତ୍ୟାକାଣ୍ଡ ସହିତ ସିଧାସଳଖ ସମ୍ପୃକ୍ତ ଥିବା ନନ୍ଦକିଶୋର ସେଠୀ ଓ ବାବୁଲି ବେହେରାଙ୍କୁ ଗିରଫ କରିବା ପରେ ପୁଲିସ ଘଟଣାର ପର୍ଦ୍ଦାଫାସ କରିପାରିଥିବା କହିଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ପୁଲିସ ମୃତ ଏକଲବ୍ୟର ମୃତଦେହଠାରୁ ୩ଶହ ମିଟର ଦୂରରେ ଏକ ବାଉଁଶବୁଦାରୁ ଜବତ କରିଛି।

ସମ୍ବନ୍ଧିତ ଖବର