ଖଣ୍ଡଗିରି : ଗଞ୍ଜାମରୁ ରାଜଧାନୀ ଯାଏଁ ଆତଙ୍କ ଖେଳାଇଥିବା କୁଖ୍ୟାତ ଲୁଟେରା ବାଲାଜୀ ଗ୍ୟାଙ୍ଗ୍ର ଦୁଇ ଘନିଷ୍ଠ ସହଯୋଗୀକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ଭରତପୁର ସତ୍ୟନଗରରେ ରହୁଥିବା ଗଞ୍ଜାମ ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ସୁଶାନ୍ତ ମହାନ୍ତି (୨୦) ଓ ଭରତପୁର ମହାବୀର ବସ୍ତିରେ ରହୁଥିବା ଯାଜପୁର ଜିଲ୍ଲା ବରି ଥାନା ରଟାଳଙ୍ଗର ଜୀବନଜ୍ୟୋତି ସାମଲ (୩୧)। ପୁଲିସ ସେମାନଙ୍କଠାରୁ ଏକ ନକଲି ବନ୍ଧୁକ ସହ ଦୁଇଟି ବାଇକ୍ ଜବତ କରିଛି। ଗତ ୩୦ତାରିଖ ରାତିରେ ସେମାନେ କଳିଙ୍ଗ ଷ୍ଟୁଡିଓ ଛକରୁ ମାନସ ଚନ୍ଦ୍ର ରାଉତଙ୍କଠାରୁ ଲୁଟିଥିବା ବାଇକ୍, ମୋବାଇଲ୍ ଓ ପର୍ସ ମଧ୍ୟ ପୁଲିସ ଜବତ କରିଛି। ଏହି ଲୁଟ୍ରେ ସୁଶାନ୍ତର ଅନ୍ୟ ଜଣେ ସହଯୋଗୀ ଫେରାର୍ ରହିଛି। ପୂର୍ବରୁ ଦୁଇ ଦୁଇଟି ବଡ଼ ଧରଣର ରାହାଜାନୀ ମାମଲାରେ ସୁଶାନ୍ତ ଗିରଫ ହୋଇ ଜେଲ୍ ଯାଇଥିଲା ଓ ଜାମିନ୍ ଆସିବା ପରେ ପୁଣି ଖଣ୍ଡଗିରି ଅଞ୍ଚଳରେ ଲୁଟତରାଜ୍ ଆରମ୍ଭ କରି ଦେଇଥିଲା।
ଗତ ୩୦ ତାରିଖ ରାତି ପ୍ରାୟ ୧ଟାରେ ଶ୍ୟାମପୁର ଅଞ୍ଚଳର ମାନସ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ସେ କଳିଙ୍ଗ ଷ୍ଟୁଡିଓ ଛକରେ ପହଞ୍ଚିଥିବା ବେଳେ ହଠାତ୍ ୨ଟି ବାଇକ୍ରେ ଆସିଥିବା ୩ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ମାନସଙ୍କ ମୁଣ୍ଡରେ ଦୁଇଟି ବନ୍ଧୁକ ଲଗାଇ ବାଇକ୍, ମୋବାଇଲ୍ ଓ ପର୍ସ ଲୁଟି ନେଇ ଫେରାର୍ ହୋଇ ଯାଇଥିଲେ। ଏ ନେଇ ମାନସ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ତଦନ୍ତରୁ ଏହା ସୁଶାନ୍ତର କାଣ୍ଡ ବୋଲି ପୁଲିସ ଜାଣିବା ପରେ ଗତକାଲି ରାତିରେ ଭରତପୁରରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ପରେ ଜୀବନକୁ ମଧ୍ୟ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ମାନସଙ୍କ ବାଇକ୍, ମୋବାଇଲ୍ ଓ ପର୍ସ ମିଳିଥିଲା। ଲୁଟ୍ ବେଳେ ସୁଶାନ୍ତ ବ୍ୟବହାର କରିଥିବା ନକଲି ବନ୍ଧୁକ ପୁଲିସ ଜବତ କରିଥିଲା। ତେବେ ସୁଶାନ୍ତର ଅନ୍ୟ ସହଯୋଗୀ ଫେରାର୍ ଥିବାରୁ ଅସଲି ବନ୍ଧୁକ ତା’ ନିକଟରେ ଥିବା ସୂଚନା ମିଳିଛି।
ବାଲାଜୀ ଗ୍ୟାଙ୍ଗ୍ ଅପରାଧର ଲମ୍ବାଫର୍ଦ
ସୁଶାନ୍ତ ହେଉଛି ବାଲାଜୀ ଗ୍ୟାଙ୍ଗ୍ର ପ୍ରମୁଖ ସଦସ୍ୟ। ୨୦୧୫ ମସିହାରୁ ବ୍ରହ୍ମପୁରରେ ଏକ ଜୁଏଲର୍ସରୁ ବିପୁଳ ସୁନା ଗହଣା ଲୁଟ୍ କରିବା ପରେ ଏହି ଗ୍ୟାଙ୍ଗ୍ ରାଜଧାନୀ ମୁହାଁ ହୋଇଥିଲା। ୨୦୧୬ ମସିହାରେ ଜଟଣୀର ମୋହରିରଙ୍କୁ ହାଣି ୬ ଲକ୍ଷ ଟଙ୍କା ଲୁଟ୍ କରିଥିଲା ଏହି ଗ୍ୟାଙ୍ଗ୍। ସେହିବର୍ଷ ଡିସେମ୍ବର ୨୫ ରାତିରେ ଏହି ଗ୍ୟାଙ୍ଗ୍ ରାଜଧାନୀ କଲେଜ ନିକଟ ହମ୍ପସ୍ରେ ଡୁମୁଡୁମାର ମୋବାଇଲ୍ ଭାଉଚର ବ୍ୟବସାୟୀ ରଣଜିତ ମାଝୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କାର ମାଲ୍ ଲୁଟି ନେଇଥିଲେ। ଜାନୁଆରି ୧୦ ତାରିଖରେ ଆଇଗିଣିଆ ଆଳୁଗଦି ନିକଟରେ ଜଣେ ବ୍ୟବସାୟୀ ମ୍ୟାନେଜର ପ୍ରତାପ ପରିଜାଙ୍କ ଉପରକୁ ବୋମାମାଡ଼ କରି ଏହି ଗ୍ୟାଙ୍ଗ୍ ୨୪ ହଜାର ଟଙ୍କା ଓ ବାଇକ୍ ଲୁଟି ନେଇଥିଲେ। ତେବେ ୧୭ ତାରିଖରେ ଖଣ୍ଡଗିରି ଥାନା ପୁଲିସ ବାଲାଜୀ ସମେତ ଚନ୍ଦନ, କିରଣ, ଅମରଜିତ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଦୀର୍ଘ ୨ ବର୍ଷ ପରେ ଗଞ୍ଜାମରୁ ରାଜଧାନୀ ଯାଏ ପୁଲିସର ମୋଷ୍ଟ ଓ୍ଵାଣ୍ଟେଡ୍ ବାଲାଜୀ ପ୍ରଥମ ଥର ପାଇଁ ଗିରଫ ହୋଇଥିଲା। ତେବେ ସୁଶାନ୍ତ ଖସି ଯାଇଥିଲା। ମାର୍ଚ୍ଚ ମାସରେ ସୁଶାନ୍ତ ଓ ତା’ର କିଛି ସହଯୋଗୀ ଫୁଲେଶ୍ୱରୀ ବସ୍ତିରୁ ଫେରୁଥିବା ଜଣେ ଫାଇନାନ୍ସ କମ୍ପାନିର ଏଜେଣ୍ଟ ଭବାନୀ ଶଙ୍କର ପଣ୍ଡାଙ୍କୁ ଆକ୍ରମଣ କରି ଲୁଟିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Arjun-Lootera-2-f.jpg)