ବାଇକ୍‌ ଚୋର ଗ୍ୟାଙ୍ଗ୍‌ର ୨ଗିରଫ, ୨ବାଇକ୍‌ ଜବତ

ଭୁବନେଶ୍ୱର : ଗୋଟିଏ ଗୋଷ୍ଠୀ ପିଛା କରୁଥିଲା। ଆଉ ଗୋଟିଏ ଗୋଷ୍ଠୀ ଲୁଟୁଥିଲା। ଏଭଳି ଢଙ୍ଗ‌ରେ ଗାଡ଼ି ଲୁଟୁଥିଲେ ମଧ୍ୟ କେହି ଟେର୍‌ ପାଉ ନଥିଲେ। ଗାଡ଼ି ରଖି ଦୁଇ ମିନିଟ୍‌ରେ ଭିତରୁ ଆସିବା ବେଳକୁ ଗାଡ଼ି ନାହିଁ। ଏଭଳି ଏକ ଗୋଷ୍ଠୀର ଦୁଇ ସଦସ୍ୟଙ୍କୁ ଧରିଛି କ୍ୟାପିଟାଲ ଥାନା ପୁଲିସ। ତାଙ୍କଠାରୁ ଦୁଇଟି ଚୋରା ବାଇକ୍‌ ଜବତ ହୋଇଛି। ଆହୁରି ୨୦ରୁ ଊର୍ଦ୍ଧ୍ବ ଗାଡ଼ି ଜବତ କରିବ ବୋଲି ପୁଲିସ ଆଶା ରଖିଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି ପୁଲିସ କହିଛି। ଅଭିଯୁକ୍ତଦ୍ବୟ ହେଉଛନ୍ତି କୋରାପୁଟର ସାହିଲ୍‌ ଜାନି ଓ ନୂଆପଲ୍ଲୀ ସାଲିଆସାହିର ରେହାନ୍‌ ବେହେରା।

ଏମାନେ ନୂଆ ଢଙ୍ଗରେ ବାଇକ୍‌ ଚୋରି କରିବା ସହ ବିକ୍ରି କରନ୍ତି। ପ୍ରଥମେ ଗାଡ଼ି ଚୋରି କରିବା ପରେ ଏମାନେ ସ୍ବୀକୃତିପ୍ରାପ୍ତ ଷ୍ଟାଣ୍ଡରେ ଗାଡ଼ି ରଖନ୍ତି। ଫୋନ୍‌ ଜରିଆରେ ଗ୍ରାହକ ଯୋଗାଡ଼ କରି ପାର୍କିଂରୁ ଗାଡ଼ି ଆଣି ବିକ୍ରି କରନ୍ତି।

ସୂଚନା ମୁତାବକ, ଗୁରୁବାର ଅପରାହ୍‌ଣରେ ଦୁଇ ଅଭିଯୁକ୍ତ ଚୋରା ଗାଡ଼ି ବିକ୍ରି କରିବା ପାଇଁ ଫରେଷ୍ଟ ପାର୍କ ସାମ୍‌ନାରେ ଗ୍ରାହକଙ୍କୁ ଅପେକ୍ଷା କରିଥଲେ। ପୁଲିସ ଖବର ପାଇ ଚଢ଼ଉ କରିବା ବେଳେ ସେମାନେ ଖସି ଶିଶୁଭବନ ଆଡ଼କୁ ଦ୍ରୁତ ଗତିରେ ପଳାଉଥିଲେ। ତେବେ ଆଗରୁ ଆଉ ଏକ ଟିମ୍‌ ସେମାନଙ୍କୁ କାବୁ କରିଥିଲା। ପଚରାଉଚରା ପରେ ପାର୍କିଂରେ ରଖିଥିବା ଅନ୍ୟଏକ ଚୋରା ଗାଡ଼ି ପୁଲିସ ଉଦ୍ଧାର କରିଥିଲା। ଏହି ଟିମ୍‌ରେ ଆହୁରି ୫ଜଣ ଥିବା ପୁଲିସ ଜେରାରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର