୨ ବ୍ରାଉନ୍‌ ସୁଗାର ବେପାରୀ ଗିରଫ

ଖଣ୍ଡଗିରି : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ ଅଟୋଷ୍ଟାଣ୍ଡରେ ବ୍ରାଉନ୍‌ ସୁଗାର ବେପାର ଚଳାଇ ଆସୁଥିବା ଦୁଇ ବେପାରୀଙ୍କୁ ବୁଧବାର ସକାଳେ ଅବକାରୀ ବିଭାଗ ଗିରଫ କରିଛି। ସେମାନେ ହେଲେ ସୌମ୍ୟରଞ୍ଜନ ସାହୁ ଓ ପ୍ରଶାନ୍ତ କୁମାର ମହାପାତ୍ର। ସେମାନଙ୍କଠାରୁ ବେପାରରେ ବ୍ୟବହୃତ ଗୋଟିଏ ସ୍କୁଟି ସହ ୨୭ ଗ୍ରାମ ବ୍ରାଉନ୍‌ ସୁଗାର ଓ ନଗଦ ୨୭ ହଜାର ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନ୍ ସୁଗାର୍‌ର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଦୀର୍ଘ ଦିନ ଧରି ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ କିଛି ଅଟୋ ଚାଳକ ଏହି ବେପାର କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ବରମୁଣ୍ଡା ଅଞ୍ଚଳର ତଥାକଥିତ ସାହୁ କମ୍ପାନିଠାରୁ ମାଲ୍ କିଣି ଏମାନେ ଖଣ୍ଡଗିରି ଅଞ୍ଚଳରେ ବେପାର ଚଳାଇଥିବା ନେଇ ଅଭିଯୋଗ ହୋଇ ଆସୁଛି। ତେଣୁ ଖୋର୍ଧା ଜିଲ୍ଲାପାଳ ଓ ଅବକାରୀ କମିସନର୍‌ଙ୍କ ନିର୍ଦେଶକ୍ରମେ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରିଚାଳନାରେ ଆଜି କଟକ ଫ୍ଲାଇଂ ସ୍କ୍ବାଡ୍‌ ଓ ଭୁବନେଶ୍ବର ଅବକାରୀ ଟିମ୍‌ ମିଳିତଭାବେ ଏହି ଚଢ଼ଉ କରିଥିଲେ। ଟିମ୍‌ ବରମୁଣ୍ଡା ଓଭରବ୍ରିଜ୍‌ ନିକଟରେ ଛକି ରହିଥିବାବେଳେ ପ୍ରଶାନ୍ତ ଓ ସୌମ୍ୟ ଏକ ସ୍କୁଟି(ଓଡି୩୩ଏସ୍‌-୩୯୯୮) ଯୋଗେ ଅଟୋ ଷ୍ଟାଣ୍ଡରେ ପହଞ୍ଚିଥିଲେ। ସେମାନେ ସେଠାରେ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଅବକାରୀ ଟିମ୍‌ ଘେରି ଯାଇଥିଲା। ପ୍ରଶାନ୍ତ ପକେଟ୍‌ରୁ ୧୨ ଗ୍ରାମ୍‌ ଓ ନଗଦ ୮ ହଜାର ଟଙ୍କା ଏବଂ ସୌମ୍ୟ ପକେଟ୍‌ରୁ ୧୫ ଗ୍ରାମ୍ ବ୍ରାଉନ୍ ସୁଗାର ଓ ନଗଦ ୨୦ ହଜାର ଟଙ୍କା ମିଳିଥିଲା। ସେହିଭଳି ସାଲିଆସାହିରରେ ଏହି ଟିମ୍‌ ଚଢ଼ଉ କରି ୩ ଜଣ ମହିଳା ମଦ ବେପାରୀଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ସୋହଗମଣି ମୁର୍ମୁ, ଚମ୍ପା ମୁର୍ମୁ ଓ ଫୁଲ ଟୁଡ଼ୁ। ସେମାନଙ୍କଠାରୁ ୨୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା। ଟିମ୍‌ରେ ଅବକାରୀ ଆଇଆଇସି ଶରତଚନ୍ଦ୍ର ଭଂଜ, ଦେବୀପ୍ରସାଦ ଦାସ ଓ ଅନ୍ୟମାନେ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର