ଏସ୍‌ଟିଏଫ୍‌ ପଞ୍ଝାରେ ୨ ବ୍ରାଉନ୍‌ସୁଗାର ବେପାରୀ, ବିଦେଶୀ ବନ୍ଧୁକ, କାର୍‌ ଜବତ

ଧଉଳି ଛକରୁ ୨ ବ୍ରାଉନସୁଗାର ବେପାରୀ ଗିରଫ, ବାଇକ୍‌, ମୋବାଇଲ ଓ ୬୦୦ ଟଙ୍କା ଜବତ

ଭୁବନେଶ୍ୱର : ନିଶା ବେପାର ବନ୍ଦ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଅଭିଯାନକୁ ପୁଣି ଏକ ସଫଳତା ମିଳିଛି। କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଚଢ଼ଉ କରି ଏସ୍‌ଟିଏଫ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫୬ ଗ୍ରାମ୍‌ର ବ୍ରାଉନ୍‌ସୁଗାର, ଗୋଟିଏ ୯ଏମ୍‌ଏମ୍‌ ସ୍ୱୟଂଚାଳିତ ବିଦେଶୀ ବନ୍ଧୁକ, ମାଗାଜିନ୍‌, ୪ ରାଉଣ୍ଡ ଜୀବନ୍ତ ଗୁଳି ଓ ଏକ କାର୍‌ ଜବତ କରିଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଭିଯୁକ୍ତ ହେଲେ, ନୟାପାଲ୍ଲୀ ରେଣ୍ଟାଲ କଲୋନିର ଅନନ୍ତ ସାହୁ ଓରଫ ବୁଦ୍ଧିଆ ଓ ଦୀପରଞ୍ଜନ ବାରିକ୍ ଓରଫ ଇଲୁ। ଏସ୍‌ଟିଏଫ୍ ଏମାନଙ୍କୁ ବାଙ୍କୀ ଥାନାକୁ ହସ୍ତାନ୍ତର କରିଛି। ବାଙ୍କୀ ଥାନା ଏକ ମାମଲା ରୁଜୁ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଅଧିକ ସୂଚନା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯାଇଛି।

ଏକ କାର୍‌ରେ ଏମାନେ ନିଶାଦ୍ରବ୍ୟ ରଖି ବେପାର କରିବା ପାଇଁ ଯାଉଥିଲେ। ପୂର୍ବରୁ ଖବର ପାଇ ଥାନା ଛକରେ ଛକି ରହିଥିବା ଏସ୍‌ଟିଏଫ୍ ଅଧିକାରୀମାନେ ଉଭୟଙ୍କୁ ଧରିଥିଲେ। ଏମାନଙ୍କ ନାମରେ ଆଉ କେଉଁ କେଉଁ ଥାନାରେ କ’ଣ ମାମଲା ରହିଛି, ପୁଲିସ ଛାନ୍‌ଭିନ୍‌ ଚାଲିଛି। ଜବତ ସ୍ବୟଂଚାଳିତ ବନ୍ଧୁକ ଆମେରିକା ତିଆରି। ଗୁଳିଗୁଡ଼ିକ ସରକାରୀ ସ୍ବୀକୃତିପ୍ରାପ୍ତ ବୋଲି ଜଣାପଡ଼ିଛି। ପୁଲିସ ତଥା ଅନ୍ୟାନ୍ୟ ସରକାରୀ ବିଭାଗକୁ ଯୋଗା ଯାଉଥିବା ଗୁଳି ହିଁ ଜବତ ହୋଇଛି। ତେବେ ନିଶା ବେପାରୀଙ୍କ ପାଖକୁ କିଭଳି ଏ ଗୁଳି ଆସିଲା, ସେ ନେଇ ମଧ୍ୟ ତନାଘନା ଆରମ୍ଭ ହୋଇଛି। ଚଳିତବର୍ଷ ଏସ୍‌ଟିଏଫ୍‌ କଟକ, ପୁରୀ, ବାଲେଶ୍ବର, ଅନୁଗୁଳ, ଖୋର୍ଦ୍ଧା, ପିପିଲି, ଢେଙ୍କାନାଳ, ଭୁବନେଶ୍ୱର ଏବଂ ଭଦ୍ରକ ଅଞ୍ଚଳରେ ଚଢ଼ଉ କରି ନିଶା ବେପାରୀଙ୍କ ବିରୋଧରେ ୧୩ଟି ମାମଲା ରୁଜୁ କରିଛି। ୨୬ ଅଭିଯୁକ୍ତ ଗିରଫ ହୋଇଥିବା ବେ‌ଳେ ମୋଟ ୧ କେଜି ୩୩୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି।

ଧଉଳି ଛକରୁ ୨ ବ୍ରାଉନସୁଗାର ବେପାରୀ ଗିରଫ, ବାଇକ୍‌, ମୋବାଇଲ ଓ ୬୦୦ ଟଙ୍କା ଜବତ
ଧଉଳି : ବ୍ରାଉନସୁଗାର କାରବାର ମାମଲାରେ ଧଉଳି ଥାନା ପୁଲିସ ଆଜି ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟବସାୟୀଦ୍ବୟ ହେଲେ, ବାଲୁଗାଁ ଥାନା ଅନ୍ତର୍ଗତ ବାଣପୁର ଗ୍ରାମର ସୁନୀଲ କୁମାର ଦାସ ଓରଫ ପପୁ (୩୫) ଓ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଅଧୀନ ଘୋଡ଼ାବଜାରର ବିସ୍ମୟ ପଟ୍ଟନାୟକ ଓରଫ ବିଜୁ (୪୨)। ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡ଼ା ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାସ୍ଥଳରୁ ପୁଲିସ ଏକ ବାଇକ୍‌ ସହ ୩୦ଗ୍ରାମ ବ୍ରାଉନସୁଗାର, ଦୁଇଟି ମୋବାଇଲ ଓ ୬୦୦ ଟଙ୍କା ଜବତ କରିଛି। ଉଭୟ ପପୁ ଓ ବିଜୁ ବିରୋଧରେ ଧଉଳି ଥାନାରେ ମାମଲା ରୁଜୁ ହୋଇଛି।

ଥାନା ଅଧିକାରୀ ଜୟଦେବ ବିଶ୍ବଜିତଙ୍କ କହିବାନୁଯାୟୀ, ଆଜି ଭୋର୍‌ ସମୟରେ ପପୁ ଓ ବିଜୁ ଜଟଣୀରୁ ବ୍ରାଉନସୁଗାର ଧରି ପିପିଲି ରାସ୍ତାରେ ଧଉଳି ଛକ ଦେଇ ଭୁବନେଶ୍ବର ଅଭିମୁଖେ ଆସୁଥିବା ଖବର ମିଳିଥିଲା। ଧଉଳି ଓ ଭୁବନେଶ୍ବର ଅଞ୍ଚଳରେ ଥିବା ଖୁଚୁରା ବ୍ୟବସାୟୀଙ୍କୁ ସେମାନେ ବ୍ରାଉନସୁଗାର ଦେଇ ପୁଣି ଜଟଣୀ ଫେରିଯାଇଥା’ନ୍ତେ। ହେଲେ ତା’ ପୂର୍ବରୁ ଧଉଳି ଛକରେ ପୁଲିସ ଦୁହିଁଙ୍କୁ କାବୁ କରିଥିଲା। ପଚରାଉଚରା ବେଳେ ପପୁ ଓ ବିଜୁ ପେସାଦାର ବ୍ରାଉନସୁଗାର ବ୍ୟବସାୟୀ ବୋଲି ପୁଲିସ ଜାଣିବାକୁ ପାଇଛି। ସେମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର