ଫ୍ଲାଟ୍‌ ଦେବା ନାଁରେ ୩ କୋଟି ଠକେଇ: ଦୁଇ ବିଲ୍‌ଡରଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ୱର: ରାଜଧାନୀରେ ଫ୍ଲାଟ ଯୋଗାଇ ଦେବା ନାଁରେ ୩ କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦୁଇ ବିଲ୍‌ଡରଙ୍କୁ ଗିରଫ କରିଛି। ସେମାନେ ହେଲେ ସମ୍ପଦ କୁମାର ଯୋଗାଣିଆ ଏବଂ ଅଜିତେଶ ଯୋଗାଣିଆ। ଘର ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗରରେ। କ୍ରାଇମ୍‌ବ୍ରାଞ୍ଚଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ବିଲ୍‌ଡର ସହିଦନଗର ଥାନା ଅଧୀନ ଗଜପତିନଗରରେ ଷ୍ଟାଇଲ କ୍ରିଏଟିଭ୍‌ ଏକ୍ସପ୍ରେସ ଇଭେଣ୍ଟ ଆଣ୍ଡ୍‌ ପ୍ରମୋଟର୍ସ ନାମକ ଏକ ବିଲ୍‌ଡର ସଂସ୍ଥା କରିଥିଲେ। ଗଜପତିନଗର ଅଞ୍ଚଳରେ ଏକ ଆପାର୍ଟମେଣ୍ଟର ଫ୍ଲାଟ୍‌ ଯୋଗାଇ ଦେବାକୁ କହି ଏକାଧିକ ଲୋକଙ୍କଠାରୁ ଜମା ଟଙ୍କା ସଂଗ୍ରହ କରିଥିଲେ। ସଂସ୍ଥା ପାଖାପାଖି ୩ କୋଟି ଟଙ୍କା ସଂଗ୍ରହ କରିଥିଲେ ମଧ୍ୟ କାହାରିକୁ ଫ୍ଲାଟ ଯୋଗାଇ ପାରି ନ ଥିଲା। ଏ ନେଇ ପ୍ରଭାତ କୁମାର ଜେନା ନାମକ ଜଣେ ଜମାକାରୀ ପ୍ରଥମେ ସହିଦନଗର ଥାନା ଓ ପରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରି ପ୍ରଥମେ ୨୦୧୭ ମସିହା ଜୁନ୍‌ ମାସ ୯ ତାରିଖରେ ବିକାଶ କୁମାର ଭୂୟାଁ ନାମକ ଜଣେ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ଏହି ମାମଲାର ତଦନ୍ତ ଜାରି ରଖିଥିବା କ୍ରାଇମ୍‌ବ୍ରାଞ୍ଚ ଆଜି ଏହି ଦୁଇ ଅଭିଯୁକ୍ତ ବିଲ୍‌ଡରଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର