ନୂଆଦିଲ୍ଲୀ: ଇନ୍ଦୋର ସହରରେ ଦୁଇ ସୁପାରି କିଲରଙ୍କ ସହିତ ପୁଲିସ ଦଳର ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ଜଣେ ଅଭିଯୁକ୍ତ ଆହତ ହୋଇଥିବା ବେଳେ ଇନ୍ସପେକ୍ଟର ବି ଅଭିଯୁକ୍ତଙ୍କ ଗୁଳିମାଡ଼ରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ଏହି ଘଟଣାକୁ ନେଇ ଡିସିପି ବିନୋଦ କୁମାର ମିଣା କହିଛନ୍ତି, ଅଭିଯୁକ୍ତ ଶାକିର(୨୩) ଓ ଅମନ ଶାହ (୨୨)ଙ୍କୁ ଗତ ମଙ୍ଗଳବାର ରାତିରେ ସ୍କିମ ନମ୍ବର-୧୪୦ ଅଞ୍ଚଳରେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। କିନ୍ତୁ ଏହି ସମୟରେ ଦୁହେଁ ପୁଲିସ ଦଳ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଦୁହିଁଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅନେକ ସୁଯୋଗ ଦିଆଯାଇଥିଲା। କିନ୍ତୁ ଏହି ସମୟରେ ଶାକିର ଓ ଅମନ ଶାହ ପୁଲିସ ଉପରକୁ ଗୁଳି କରିଥିଲେ। ଏହି ଗୁଳି ଇନ୍ସପେକ୍ଟରଙ୍କ କାନପାର୍ଶ୍ବ ଦେଇ ଚାଲି ଯାଇଥିଲା। ସୌଭାଗ୍ୟବଶତଃ ଏଥିରେ ତାଙ୍କୁ କୌଣସି ଆଘାତ ପହଞ୍ଚି ନଥିଲା।
ଅଭିଯୁକ୍ତଙ୍କ ଗୁଳିର ପାଲଟ ଜବାବ ଦେଇ ପୁଲିସ ଦଳ ଚଳାଇଥିବା ଗୁଳି ଶାକିରର ଗୋଡ଼ରେ ବାଜିଥିବା ବେଳେ ଶାହାକୁ ଘଟଣାସ୍ଥଳରୁ ପୁଲିସ କାବୁ କରିଥିଲା। ଶାକିର ଖାନ ଓ ଅମନ ଶାହ ମଇ ୧୨ ତାରିଖରେ ଆଜାଦ ନଗର ଅଞ୍ଚଳରେ ବସବାସ କରୁଥିବା ମୋଇନ ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
କୁହାଯାଉଛି କି ମୋଇନଙ୍କ ବଡ଼ ଭାଇ ଏକବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ଏହି ବିବାହକୁ ନେଇ ତାଙ୍କ ପରିବାରର ଖୁସିରେ ନଥିଲେ। ତେଣୁ ଯୁବତୀଙ୍କ ପରିବାରଲୋକ ମୋଇନଙ୍କୁ ହତ୍ୟା କରିବା ପାଇଁ ଶାକିର ଓ ଶାହଙ୍କୁ ୩ଲକ୍ଷ ଟଙ୍କାର ସୁପାରି ଦେଇଥିଲେ। ଶାକିର ବିରୋଧରେ ପୂର୍ବରୁ ୫ଟି ମାମଲା ଥାନାରେ ରୁଜୁ ଅଛି।