ହଳଦୀପଡ଼ିଆ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଗିରଫ

ଭୁବନେଶ୍ୱର: ହଳଦୀପଡ଼ିଆ ବସ୍ତିର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଉଭୟ ପକ୍ଷର ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଟିଏ ଗୋଷ୍ଠୀର ମୁକ୍ତାରୀ ଖାତୁନ୍‌, ସେକ୍‌ ହବିବ୍‌ ଓ ବାବୁଲି ମିଶ୍ର ଏବଂ ଅନ୍ୟ ଗୋଷ୍ଠୀର ହରିପଦ ମିସ୍ତ୍ରି ଓ ଅନିରୁଦ୍ଧ ବେହେରା। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ସୋମବାର ରାତିରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପ୍ରଥମେ କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଉତ୍ତେଜନା ଏତେ ବଢ଼ିଯାଇ ଥିଲା ଯେ, ଉଭୟ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ବହ୍ଲା ଓ ରଡ୍‌ରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ଗୋଟିଏ ଗୋଷ୍ଠୀର ମୁକ୍ତାରୀ, ହବିବ ଏବଂ ଅନ୍ୟ ଗୋଷ୍ଠୀର ହରିପଦ, ଅନିରୁଦ୍ଧ ଆହତ ହୋଇଥିଲେ। ଏହି ସଂଘର୍ଷ ଯୋଗୁଁ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଥିଲା। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏ ନେଇ ପୁଲିସ ୨ଟି ପୃଥକ ପୃଥକ ମାମଲା ରୁଜୁ କରି ଉଭୟ ଗୋଷ୍ଠୀର ୫ଜଣଙ୍କୁ ଗିରଫ କରିଥିଲା। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର