ଖଣ୍ଡଗିରି : ଖଣ୍ଡଗିରି ଥାନା ପୁଲିସ ହାତରେ ଧରାପଡ଼ିଛନ୍ତି ଦୁଇ କୁଖ୍ୟାତ ଚୋରା ବନ୍ଧୁକ ବେପାରୀ। ପୁଲିସ ସେମାନଙ୍କଠାରୁ ୨ଟି ମାଉଜର୍, ୫ ରାଉଣ୍ଡ ଗୁଳି ଓ ଗୋଟିଏ କାର୍ ଜବତ କରିଛି। ଅଧିକ ତଦନ୍ତ ଜାରି ରହିଥିବାବେଳେ ଏହି ବଡ଼ ରକେଟ୍ର ଚେରକୁ ଠାବ କରିବା ପାଇଁ ଉଦ୍ୟମ କରୁଥିବା କମିସନରେଟ୍ ପୁଲିସ ସେମାନଙ୍କ ବାବଦରେ ସମ୍ପୁର୍ଣ ତଥ୍ୟ ପ୍ରକାଶ କରିନାହିଁ। ବାହାର ରାଜ୍ୟ ତଥା ଦେଶୀ ବନ୍ଧୁକ ଆଣି ରାଜଧାନୀରେ ବେପାର କରୁଥିବା ଏହା ଏକ ବଡ଼ ଗ୍ୟାଙ୍ଗ ବୋଲି ସୂଚନା ମିଳିଛି। ତେଣୁ ଏମାନଙ୍କ ସୂଚନା ଆଧାରରେ ପୁଲିସ ରାଜଧାନୀରେ ଥିବା ଚୋରା ବନ୍ଧୁକ ବାବଦରେ ବହୁତ କିଛି ତଥ୍ୟ ପାଇବ ବୋଲି ଆଶାବାଦୀ ଥିବା ଜଣାପଡ଼ିଛି। ସୋମବାର ଅପରାହ୍ଣରେ ଖଣ୍ଡଗିରି ଥାନା ପୁଲିସକୁ ଏହି ଗ୍ୟାଙ୍ଗ୍ ବାବଦରେ ସୂଚନା ମିଳିଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ କୋଳଥିଆ, କଳିଙ୍ଗନଗର ସମ୍ ହସ୍ପିଟାଲ ରାସ୍ତା ଆଦି ବିଭିନ୍ନ ଛକରେ ଜଗି ବସିଥିଲା। ନାକା ଗେଟ୍ ନିକଟରେ ପୁଲିସ ଏକ କାର୍କୁ ସନ୍ଦେହରେ ଅଟକାଇଥିଲା। କାର୍ରେ ଥିବା ଦୁଇ ବେପାରୀ ଧରାପଡ଼ି ଯାଇଥିଲେ। ସେମାନଙ୍କଠାରୁ ୨ଟି ମାଉଜର୍ ଓ ୫ ରାଉଣ୍ଡ ଗୁଳି ମିଳିଥିଲା। ଥାନାରେ ପଚରାଉଚରା କରିବା ପରେ ସେମାନେ ଏପରି ବ୍ୟବସାୟ କରୁଥିବା ସ୍ବୀକାର କରିଥିଲେ। କିନ୍ତୁ ସେମାନେ କେତେ ସତ କହୁଥିଲେ, ତାହା ସ୍ପଷ୍ଟ ହୋଇନାହିଁ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ହୁଏତ ସେମାନେ କୌଣସି ବଡ଼ ଧରଣର କାଣ୍ଡ କରିବାକୁ ରାଜଧାନୀକୁ ଆସିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଏହି ଦୁଇ ଜଣଙ୍କୁ ନେଇ ସିପି ଓ ଡିସିପି ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିବା ସହ ଅଧିକ ଛାନ୍ଭିନ୍ ଚଳାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିକଟରେ ରାଜଧାନୀର ଏହି ଉପକଣ୍ଠରେ ଦୁଇ ଦୁଇଟି ଗୁଳିକାଣ୍ଡ ଓ ତିନି ତିନିଟି ବନ୍ଧୁକ ଜବତ ମାମଲା ଘଟିଗଲାଣି। ତେଣୁ ରାଜଧାନୀରେ ଏବେ ବନ୍ଧୁକ ବେପାରୀ ବେଶ୍ ସକ୍ରିୟ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି।
ଦୁଇ ବନ୍ଧୁକ ବେପାରୀ ଗିରଫ : ୨ ପିସ୍ତଲ, ୫ ରାଉଣ୍ଡ ଗୁଳି ଓ କାର୍ ଜବତ
/sambad/media/post_attachments/wp-content/uploads/2018/10/arjuna-bandhuka.jpg)