ହାଇସିକ୍ୟୁରିଟି ଛକ ମାଷ୍ଟରକ୍ୟାଣ୍ଟିନରୁ ଛିନ୍‌ତାଇ ଅଭିଯୋଗରେ ୨ କିନ୍ନର ଗିରଫ

ଭୁବନେଶ୍ବର : ହାଇସିକ୍ୟୁରିଟି ଛକ ମାଷ୍ଟରକ୍ୟାଣ୍ଟିନରୁ ଜଣେ ବାଇକ ଚାଳକଙ୍କଠାରୁ ୭ହଜାର ଟଙ୍କା ଛଡ଼ାଇବା ଘଟଣା କିନ୍ନରଙ୍କ ଦାଦାଗିରିକୁ ପଦାରେ ପକାଇଛି। ଏହି ଘଟଣାରେ ଖାରବେଳନଗର ଥାନା ପୁଲିସ ଦୁଇ କିନ୍ନରଙ୍କୁ ଗିରଫ କରିଛି। ସେମାନେ ହେଲେ, ଧଉଳି ଅଞ୍ଚଳରେ ରହୁଥିବା ଢେଙ୍କାନାଳ ବଳରାମପ୍ରସାଦର କଣ୍ଢେଇ ସାହୁ ଓ ନିମାପଡ଼ାର ବିଷ୍ଣୁପ୍ରିୟା ବିଶ୍ବାଳ ଓରଫ୍ ସଞ୍ଜୁ। ଉଭୟଙ୍କଠାରୁ ୭ହଜାର ଟଙ୍କା ଜବତ କରିଛି ପୁଲିସ। ସେମାନଙ୍କ ବିରୋଧରେ ରାହାଜାନି ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରରେ ରହୁଥିବା ପ୍ରଦୀପ ବଳିୟାରସିଂ ଗତକାଲି ଅପରାହ୍ଣ ସାଢେ ୨ଟାରେ ମାଷ୍ଟରକ୍ୟାଣ୍ଟିନ ଦେଇ ଯାଉଥିଲେ। ସେହି ସମୟରେ ଦୁଇ କିନ୍ନର ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମନିପର୍ସ ନେଇ ଯାଇଥିଲେ। ପ୍ରଦୀପଙ୍କ ମନିପର୍ସରେ ୭୧୦୦ ଟଙ୍କା ଥିଲା। ଏ ନେଇ ପ୍ରଦୀପ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଦୁଇ କିନ୍ନରଙ୍କୁ ଗିରଫ କରିବା ପରେ ଜେରା କରିଥିଲା। ଜେରା ବେଳେ ସବୁ କଥା ବାହାରକୁ ଆସିଥିଲା।

ସମ୍ବନ୍ଧିତ ଖବର