ରାସ୍ତା ଉପରେ ବିଦେଶିନୀଙ୍କୁ ଅସଦାଚରଣ : ମୁମ୍ବାଇରେ କୋରିଆ ଯୁବତୀଙ୍କୁ ବଳପୂର୍ବକ ଚୁମ୍ବନ ଦେବାକୁ ଉଦ୍ୟମ କଲେ ଯୁବକ

ମୁମ୍ବାଇ: ମୁମ୍ବାଇରେ କୋରିଆନ ମହିଳାଙ୍କୁ ସ୍କୁଟିରେ ବସିବାକୁ ବାଧ୍ୟ କରିବା ସହ ଚୁମ୍ବନ ଦେବାକୁ ଚେଷ୍ଟା କଲେ ଯୁବକ। ମୁମ୍ବାଇର ଖାର ଅଞ୍ଚଳରେ ଘଟିଥିବା ଏଭଳି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁଇଜଣ ଯୁବକ ବିଚ୍ ରାସ୍ତାରେ କୋରିଆନ ଯୁବତୀଙ୍କୁ ସ୍କୁଟିରେ ବସିବା ପାଇଁ ଟାଣିବା ସହ ତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ତେବେ ଭିଡିଓ ଭାଇରାଲ ହେବା ପ‌ରେ ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି।

ପୁଲିସର ସୂଚନାନୁସାରେ ଯୁବତୀ ଦକ୍ଷିଣ କୋରିଆର ନାଗରିକ। ସେ ଲାଇଭ୍ ଷ୍ଟ୍ରିମିଂ କରୁଥିବା ସମୟରେ ଦୁଇଜଣ ଯୁବକ ତାଙ୍କ ସହ ଆପତ୍ତିଜନକ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲେ। ତେବେ ଯୁବତୀ ଏ ବାବଦରେ କୌଣସି ଅଭିଯୋଗ ଦେଇନାହାଁନ୍ତି। କିନ୍ତୁ ପୁଲିସ ନିଜେ ଭାଇରାଲ ଭିଡିଓ ଆଧାରରେ ଏହି ୨ଜଣ ଯୁବକଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଯୁବତୀଜଣକ ନିଜ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ ଷ୍ଟ୍ରିମିଂ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଭିଡିଓରେ ଦେଖାଯାଇଛି ଯେ, ଯୁବତୀ ୨ଜଣ ଯୁବକଙ୍କୁ କିଛି ପଚାରୁଛନ୍ତି। ଏହା ପରେ ଜଣେ ଯୁବକ ଆସି ତାଙ୍କ ହାତ ଟାଣିବା ସହ ସ୍କୁଟିରେ ବସିବାକୁ କହୁଛି। ଯୁବତୀ ନାଁ କରିବା ସହ ଆଗକୁ ବଢ଼ୁଛନ୍ତି। ଏହା ପରେ ସମାନ ଯୁବକ ଆଗକୁ ଆସି ତାଙ୍କୁ ଚୁମ୍ବନ ଦେବାକୁ ପ୍ରୟାସ କରୁଛନ୍ତି। ଏଭଳି ବ୍ୟବହାର ଦେଖି ଯୁବତୀ ଅଭିଯୁକ୍ତକୁ ରୋକିବା ସହ ଆଗକୁ ଚାଲି ଚାଲି ଆସୁଛନ୍ତି। ଏହା ପରେ ୨ଜଣ ଯୁବକ ସ୍କୁଟିରେ ବସି ତାଙ୍କ ପିଛା କରି ପୁଣି ଆସୁଛନ୍ତି। ଏଇଠି ଭିଡିଓଟି ଶେଷ ହୋଇଛି।

ତେବେ ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ୨ଅଭିଯୁକ୍ତ ମୋବିନ ଚାନ୍ଦ ମୋହଦ ଶେଖ(୧୯) ଏବଂ ମହମ୍ମଦ ନକିବ ସଦରେଆଲମ ଅନସାରୀ(୨୦)କୁ ଗିରଫ କରିଛି।

ସମ୍ବନ୍ଧିତ ଖବର