ନାବାଳିକା ଅପହରଣକୁ ଦୁଇମାସ, ପୁଲିସର ଭୂମିକା ସନ୍ଦେହ ଘେରରେ

ଭୁବନେଶ୍ବର: ନୟାପଲ୍ଲୀ ଥାନା ଅଞ୍ଚଳରୁ ଦୀର୍ଘ ଦୁଇମାସ ହେବ ଜଣେ ନାବାଳିକାର ଅପହରଣ ହେଲାଣି। ଏନେଇ ଥାନାରେ ଅପହରଣ ମାମଲା ରୁଜୁ ବି ହୋଇଛି। ହେଲେ ଆଜି ସୁଦ୍ଧା ଝିଅ ବିଷୟରେ କୌଣସି ଖବର ପୁଲିସ୍‌କୁ ମିଳି ପାରି ନାହିଁ। ଏପରିକି ସେ କେଉଁଠି ଅଛି, କ’ଣ କରୁଛି, ଜୀବିତ ଅଛି ନା ନାହିଁ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ନୟାପଲ୍ଲୀ ଥାନାରେ ଅଭିଯୋଗ ମୁତାବକ, ମାର୍ଚ୍ଚ ୨୯ରେ କରୋନା କଟକଣା ଯୋଗୁଁ ସନ୍ଧ୍ୟା ୮ଟାରେ ସମସ୍ତେ ଘରେ ଥିବା ସମୟରେ ନାବାଳିକାଜଣକ ଘର ବାହରକୁ ଆସିଥିଲେ। କିନ୍ତୁ ତା ପରେ ସେ ନିଖୋଜ ହୋଇଯାଇଥିଲେ। ଘରଲୋକ ଝିଅକୁ ବହୁ ଖୋଜା ଖୋଜି ପରେ ସ୍ଥାନୀୟ ଜଣେ ଯୁବକ ନାବାଳିକାକୁ ନେଇ କେଉଁଆଡ଼େ ଫେରାର ହୋଇଯାଇଥିବା ସୂଚନା ପାଇଥିଲେ। ଉକ୍ତ ଦିନ ରାତି ପ୍ରାୟ ୧୦ଟା ୩୦ରେ ଥାନାରେ ଘର ଲୋକ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୁଲିସ୍ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଇତିମଧ୍ୟରେ ଦୁଇମାସରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ୍ ହାତ ଖାଲିଥିବା ଜଣାପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ଯେ ଝିଅକୁ ଅପହରଣ କରିଥିବା ଯୁବକଙ୍କ ପଛରେ ଜଣେ ସ୍ଥାନୀୟ ନେତାଙ୍କ ପ୍ରୋତ୍ସାହନ ରହିଛି। ଯାହାର ଆଖପାଖ ଅଞ୍ଚଳରେ ଭଲ ଦବ୍‌ଦବା ରହିଛି। ଶୁଣାଯାଉଛି, ଘଟଣାରେ ଉକ୍ତ ନେତାଙ୍କ ହସ୍ତକ୍ଷେପ ରହୁଥିବାରୁ ପୁଲିସ୍ ଠିକ୍ ତଦନ୍ତ କରୁନାହିଁ। ବର୍ତ୍ତମାନ କରୋନା ନିୟମାବଳି ଆଳରେ ପୁଲିସ୍ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି। ସେହିଭଳି ଥାନାରୁ ମିଳିଥିବା ଖବର ମୁତାବକ, ଯୁବକଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକିଂ କରାଯାଇ ଖୋଜିବାକୁ ଉଦ୍ୟମ କରାଯାଉଛି। କିନ୍ତୁ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ସୂଚନା ମିଳିପାରୁ ନାହିଁ। ମହାମାରୀ କରୋନା ଯୋଗୁଁ ତଦନ୍ତରେ ମଧ୍ୟ ସମସ୍ୟା ଉପୁଜିଛି। ଅପରପକ୍ଷରେ ନାବାଳିକାର ବାପାମା’ ପ୍ରତିଦିନ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି।

ସମ୍ବନ୍ଧିତ ଖବର