ଜେଲ୍‌ ଗଲେ ୨ ଦୁର୍ଦାନ୍ତ ଅପରାଧୀ

ଭାଲେଣ୍ଟିନା ପାଇପ୍‌ସ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ ଘଟଣା

ଭୁବନେଶ୍ୱର: ଦାଦାବଟି ନ ଦେବାରୁ ରସୁଲଗଡ଼ କୋଚିଳେଇ ହାଟ ନିକଟରେ ଥିବା ଭାଲେଣ୍ଟିନା ପାଇପ୍‌ସ ସଂସ୍ଥା ମାଲିକଙ୍କୁ ଭୁଜାଲିରେ ଆକ୍ରମଣ ଘଟଣାରେ ସହିଦନଗର ଥାନା ପୁଲିସ ୨ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରକାଶ ବିଶୋଇ(୨୮) ଓ ଜଗନ ସ୍ୱାଇଁ(୨୫)। ପ୍ରକାଶର ଘର ପଥରବନ୍ଧ ବସ୍ତିରେ ହୋଇଥିବାବେଳେ ଜଗନର ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ। ସେ କଟକରେ ରହୁଥିଲା। ପୁଲିସ ସୂଚନା ମୁତାବକ, ପ୍ରକାଶ ଓ ଜଗନ ନିଜକୁ ଡି’ ବ୍ରଦର୍ସଙ୍କ ସହଯୋଗୀ କହି ରାଜଧାନୀରୁ ଦାଦାବଟି ଆଦାୟ କରି ଚାଲିଥିଲେ। ଡିସେମ୍ବର ୧୧ ତାରିଖ ସନ୍ଧ୍ୟାରେ ଭାଲେଣ୍ଟିନା ପାଇପ୍ସ୍‍ର ମାଲିକ ନିକୁଞ୍ଜ ଛୋଟରାୟଙ୍କୁ ସେମାନେ ଦାଦାବଟି ମାଗିଥିଲେ। ନିକୁଞ୍ଜ ଦାଦାବଟି ଦେବାକୁ ମନା କରିବାରୁ ପ୍ରକାଶ, ଜଗନ ଏବଂ ସେମାନଙ୍କ ୧୦ଜଣ ସହଯୋଗୀ ୪ଟି ବାଇକ୍‌ରେ କୋଚିଳେଇ ହାଟ ପଛପଟେ ଥିବା ଭାଲେଣ୍ଟିନା ପାଇପ୍‌ସ ଫ୍ୟାକ୍ଟ୍ରି ନିକଟରେ ପହଞ୍ଚିଥିଲେ। ସହଯୋଗୀମାନେ ଫ୍ୟାକ୍ଟ୍ରି ଗେଟ୍‌ରେ ଥିବା ସିକ୍ୟୁରିଟି ଗାର୍ଡ଼କୁ କାବୁ କରିବା ପରେ ପ୍ରକାଶ ଓ ଜଗନ ଭିତରେ ଥିବା ନିକୁଞ୍ଜ ଛୋଟରାୟଙ୍କ ଚ୍ୟାମ୍ବରକୁ ପଶି ଯାଇଥିଲେ। ଉଭୟ ଡି’ବ୍ରଦର୍ସର ସହଯୋଗୀ ବୋଲି ପରିଚୟ ଦେଇ ୫ଲକ୍ଷ ଟଙ୍କା ବଟି ମାଗିଥିଲେ। ତେବେ ନିକୁଞ୍ଜ କାହାକୁ ଚିହ୍ନି ନାହାନ୍ତି କହିବାରୁ ଉଭୟ ଅଚାନକ ଭୁଜାଲି ଓ ଲୁହାରଡ୍‌ରେ ନିକୁଞ୍ଜଙ୍କୁ ଆକ୍ରମଣ କରିଥିଲେ। ନିକୁଞ୍ଜଙ୍କ ଗୋଦାମରେ କାମ କରୁଥିବା କର୍ମଚାରୀ ପୂର୍ଣ୍ଣ ଏହାର ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ବାମ ହାତକୁ ଭୁଜାଲିରେ ଚୋଟ ମାରିିଥିଲେ। ଏହାପରେ ଅଫିସ୍‌ ଭିତର ଏବଂ ବାହାରକୁ ବାଡ଼େଇ ଭାଙ୍ଗି ଦେଇଥିଲେ। ଏପରି ଆକ୍ରମଣ ଦେଖି କର୍ମଚାରୀମାନେ ତୁରନ୍ତ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଲରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ନିକୁଞ୍ଜ ଛୋଟରାୟ ଓ ପୂର୍ଣ୍ଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏ ନେଇ ନିକୁଞ୍ଜ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ପ୍ରକୃତରେ ସେମାନଙ୍କ ସହ ଡି’ବ୍ରଦର୍ସଙ୍କ ଲିଙ୍କ୍‌ ଅଛି ନା ନାହିଁ? ଯଦି ସେମାନେ ଡି’ ବ୍ରଦର୍ସ ଗ୍ୟାଙ୍ଗ୍‌ର, କେବେଠାରୁ ଏମାନେ ରାଜଧାନୀରେ ସକ୍ରିୟ ଏନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ପୁଲିସ ସେମାନଙ୍କ ପତ୍ତା ପାଇ ନଥିଲା।

ତେବେ ପୁଲିସକୁ ବେଶି ଦିନ ଅପେକ୍ଷା କରିବାକୁ ପଡ଼ି ନ ଥିଲା। ଗତ ଡିସେମ୍ବର ମାସ ୨୯ ତାରିଖରେ ପ୍ରକାଶ ଓ ଜଗନ ଦାଦାବଟି ଆଦାୟ ନେଇ ବାଣୀବିହାର ଟ୍ରାଫିକ୍‌ ନିକଟସ୍ଥ ନିର୍ମାଣାଧୀନ ଶୌଚାଳୟରେ ପଶି ସେଠାରେ କାର୍ଯ୍ୟରତ ଜଣେ ମିସ୍ତ୍ରିଙ୍କୁ କଟୁରିରେ ଆକ୍ରମଣ କରିଥିଲେ। ମିସ୍ତ୍ରିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ପ୍ରକାଶ ଓ ଜଗନକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପ୍ରକାଶର ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ପୁଲିସ ଆଜି ଥାନାକୁ ଆଣି ପଚରାଉଚରା କରିବା ସହ କୋର୍ଟ ଚାଲାଣ କରିଥିଲା। ପ୍ରକାଶ ଥାଉ କି, ପୂର୍ବରୁ ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ଆପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର