ସାମାନ୍ୟ ଘଟଣାରୁ ୨ଟି ହତ୍ୟାକାଣ୍ଡ : ଧାନ ଟଙ୍କା ପାଇଁ ଭାଉଜ, ମାଛଭଜା ପାଇଁ ଜେଜେଙ୍କ ପ୍ରାଣଗଲା

ସାରସକଣା/ବେତନଟୀ/ଚିତ୍ରଡ଼ା : ପବିତ୍ର ମକର ସଂକ୍ରାନ୍ତି ପାଇଁ ସାରା ମୟୂରଭଞ୍ଜ ଜିଲ୍ଲା ଉତ୍ସବ ମୁଖର। ମାତ୍ର, ବେତନଟୀ ଓ ସାରସକଣାରେ ଘଟିଥିବା ଦୁଇଟି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସାରସକଣାରେ ଧାନବିକ୍ରି ଟଙ୍କା ମାଗିବାରୁ ଜଣେ ଲୋକ ନିଜ ଭାଉଜଙ୍କୁ ଟାଙ୍ଗିଆରେ ହାଣି ଦେଇଛନ୍ତି। ସେହିଭଳି ସାମାନ୍ୟ ମାଛ ଭଜାକୁ କେନ୍ଦ୍ରକରି ନାତିର ମୁଗୁର ମାଡ଼ରେ ଜେଜେ ପ୍ରାଣ ହରାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସାରସକଣା ବ୍ଲକ୍‌ ଅନ୍ତର୍ଗତ ପାକଟିଆ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଗ୍ରାମର କ୍ଷେତ୍ରମୋହନ ନାଏକଙ୍କ ସ୍ତ୍ରୀ ଶୁକଦେବୀ (୩୨) ଦିଅର ଜଗନ୍ନାଥ(୨୨)ଙ୍କୁ ତାଙ୍କ ଜମିର ଧାନ ବିକ୍ରି ବାବଦ ଟଙ୍କା ମାଗିଥିଲେ। ମକର ଖର୍ଚ୍ଚ ନିମନ୍ତେ ସେ ତୁରନ୍ତ ଟଙ୍କା ଦେବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧୢରେ ଯୁକ୍ତିତର୍କ ହୋଇଥିଲା ଓ ଜଗନ୍ନାଥ ହଠାତ୍‌ ଏକ ଟାଙ୍ଗିଆରେ ଶୁକଦେବୀଙ୍କୁ ଆକ୍ରମଣ କରଥିଲା। ଟାଙ୍ଗିଆ ଚୋଟରେ ଶୁକଦେବୀଙ୍କ ମୁଣ୍ତର ପଛ ଭାଗରେ ଗଭୀର କ୍ଷତ ହେବା ସହିତ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଜଗନ୍ନାଥକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ନିକଟସ୍ଥ ପୋଖରୀ ନିକଟରୁ ଜବତ୍‌ କରିଛି। ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁର ଏକ ଖଡିଆ ପରିବାରେ ଏହି ହତ୍ୟାକାଣ୍ଡ ଘଟିଛି। ଦାନ୍ତିଆମୁହାଁର ବେଣୁଧର ଦେହୁରୀ (୭୦) ଓ ତାଙ୍କ ପତ୍ନୀ ରମା ଦେହୁରୀ ଘର ଚୁଲି ପାଖରେ ମାଛ ଭାଜୁ ଥିଲେ। ଏହି ସମୟରେ ନାତି କାଳିଆ ଓରଫ ରାମଚନ୍ଦ୍ର ଦେହୁରୀ (୨୬) ନିଶାସକ୍ତ ଅବସ୍ଥାରେ ଦାନ୍ତିଆହାଟରୁ ଫେରିଥିଲା। ମାଛଭଜା ଭଳି ସାମାନ୍ୟ କଥାକୁ ନେଇ କାଳିଆ ନିଜ ଜେଜେ ମାଆ ରମାଙ୍କୁ ପ୍ରଥମେ ମାଡ ମାରିଥିଲା। ଏଥିରେ ଜେଜେ ବେଣୁଧର ପ୍ରତିବାଦ କରିବାରୁ କାଳିଆ ତାଙ୍କୁ ମୁଗୁରରେ ମାଡ଼ କରିଥିଲେ। ଏଥିରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପୁଲିସ୍‌ ଅଭିଯୁକ୍ତ କାଳିଆକୁ ଗିରଫ କରିଛି।

ସମ୍ବନ୍ଧିତ ଖବର