ଭୁବନେଶ୍ବର: ରାଜଧାନୀର ଦୁଇ ପ୍ରତିଷ୍ଠିତ ମହିଳା ଶିକ୍ଷାନୁଷ୍ଠାନରୁ ଦୁଇ ଛାତ୍ରୀଙ୍କୁ ଆଜି ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ରୀ ସହିଦନଗର ଅଞ୍ଚଳର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ୟୁନିଟ୍-୧ ଅଞ୍ଚଳେର ଥିବା ଏକ ଶିକ୍ଷାନୁଷ୍ଠାନର ଛାତ୍ରୀ। ଉଭୟ +୨ କଳା ବିଭାଗର ବୋଲି ଜଣାପଡ଼ିଛି। ଏନେଇ ସହିଦନଗର ଥାନାରେ ଉଭୟଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ୟୁନିଟ୍-୧ ଅଞ୍ଚଳରେ ପଢ଼ୁଥିବା ଛାତ୍ରୀ ଜଣକ ରବିବାର ସନ୍ଧ୍ୟାରେ ସପିଂ ପାଇଁ ମାର୍କେଟକୁ ଆସିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଖୋଜଖବର ନପାଇବାରୁ ଥାନାରେ ଅଭିଯୋଗ କରିଛନ୍ତି। ଏକ ତରଫା ଭାବେ ଭଲ ପାଉଥିବା ଓ ବିଭିନ୍ନ ସମୟରେ ହଇରାଣ କରୁଥିବା ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି। ସେହିପରି ରବିବାର ସହିଦନଗର ସ୍ଥିତ ମହିଳା ଶିକ୍ଷାନୁଷ୍ଠାନର ୪ଜଣ ଛାତ୍ରୀ ହଷ୍ଟେଲ୍ରୁ ବାହରକୁ ଯାଇଥିଲେ। ତିନି ଜଣ ଛାତ୍ରୀ ହଷ୍ଟେଲ୍କୁ ଫେରିଥିବା ବେଳେ ଜଣେ ଛାତ୍ରୀ ଫେରି ନଥିଲେ। ରବିବାର ବିଳମ୍ବିତ ରାତିରେ ଛାତ୍ରୀଙ୍କ ବାପା ତାଙ୍କୁ କଲ୍ କରିଥିଲେ। ହେଲେ ତାଙ୍କ ମୋବାଇଲ୍ ବନ୍ଦ ଥିଲା। ପର ଦିନ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ନହେବାରୁ ଛାତ୍ରୀଙ୍କ ବାପା ସ୍ଥାନୀୟ ଅଭିଭାବକଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଭାବକ ଜଣଙ୍କ ଶିକ୍ଷାନୁଷ୍ଠାନକୁ ଆସି ପଚରାଉଚରା କରିବାରୁ ସେ ହଷ୍ଟେଲ୍ରେ ନଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ହଷ୍ଟେଲ୍ରେ ପହଞ୍ଚି କର୍ତୃପକ୍ଷଙ୍କୁ ପଚରାଉଚରା କରିବା ସହ ରେଜିଷ୍ଟର୍ ଓ ସିସିଟିଭି ଯାଞ୍ଚ କରିଥିଲା। ତେବେ ରେଜିଷ୍ଟର୍ରେ ୩ଜଣ ଛାତ୍ରୀଙ୍କ ଦସ୍ତଖତ ଥିବା ବେଳେ ନିଖୋଜ ଥିବା ଛାତ୍ରୀଙ୍କ ଦସ୍ତଖତ ନଥିଲା। ପୁଲିସ ୨ଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆଖପାଖ ଅଞ୍ଚଳରେ ଥିବା କେତେକ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଛାତ୍ରୀ ଦ୍ବୟଙ୍କ ମୋବାଇଲ ନମ୍ବର ଟ୍ରାକିଂ କରି ତଦନ୍ତ ଜାରି ରଖିଛି।
ଗୋଟିଏ ଦିନରେ ୨ ଛାତ୍ରୀଙ୍କୁ ଅପହରଣ
/sambad/media/post_attachments/wp-content/uploads/2018/07/kidnap.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)