ନୂଆବର୍ଷରେ ୨ ଅଜଣା ଯୁବକଙ୍କ ମୃତଦେହ ଜବତ

ହତ୍ୟା ସନ୍ଦେହ

ଭୁବନେଶ୍ୱର : ନୂଆବର୍ଷରେ ସକାଳୁ ସକାଳୁ ରାଜଧାନୀର ଦୁଇଟି ଭିନ୍ନ ସ୍ଥାନରୁ କମିସନରେଟ୍‌ ପୁଲିସ ୨ଜଣ ଅଜଣା ଯୁବକଙ୍କ ମୃତଦେହକୁ ଜବତ କରିଛି। ସିଆର୍‌ପି ଛକ ନିକଟରୁ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଥିବାବେଳେ କଂସେଇଖାନା କେନାଲ୍‌ ରୋଡ୍‌ ନିକଟରୁ ଲକ୍ଷ୍ମୀସାଗର ଥାନା ପୁଲିସ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ପୁଲିସ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏମାନଙ୍କ ପରିଚୟ ମିଳି ନ ଥିବାବେଳେ ଦୁଇ ଥାନା ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏ ଦୁଇ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।
ପୁଲିସ ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ସିଆରପି ଛକ ଅଣ୍ଡରପାସ୍‌ ନିକଟରେ ଜଣେ ଯୁବକ ନିସ୍ତେଜ ହୋଇ ପଡ଼ିିଥିଲେ । ଯୁବକଙ୍କୁ ଏଭଳି ଅବସ୍ଥାରେ ଦେଖି ସ୍ଥାନୀୟ ଲୋକ ତୁରନ୍ତ ପୁଲିସକୁ ଫୋନ୍‌ କରି ଏ ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ। ରଙ୍ଗ ଶ୍ୟାମଳ। ତାଙ୍କୁ ହତ୍ୟା କରାଯାଇ ଏଠାରେ ଫୋପାଡ଼ି ଦିଆଯାଇଛି ନା ଅନ୍ୟ କୌଣସି କାରଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।

ସେହିପରି ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲକ୍ଷ୍ମୀସାଗର କଂସେଇଖାନା କେନାଲ ରୋଡ୍‌ରେ ଜଣେ ଅଜଣା ଯୁବକ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ଯୁବକଙ୍କୁ ଏଭଳି ଅବସ୍ଥାରେ ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ୟାମଳ ରଙ୍ଗର ଏହି ଯୁବକଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ। ତାଙ୍କ ଦେହରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ମଧ୍ୟ ହତ୍ୟା କରାଯାଇ ଫୋପାଡ଼ି ଦିଆଯାଇଛି ବୋଲି ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର