ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏଇକିଛିଦିନ ହେବ ଜଣେ କ୍ୟାବ ଚାଳକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଉବେର କ୍ୟାବରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ରେକର୍ଡ କରିଥିବା ଜଣାପଡ଼ିଛି।

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟୁଇଟର)ରେ ଉବେର ଚାଳକଙ୍କ ଭିଡିଓକୁ ସ୍ନେକଆଇଜଭିୱାନ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଯେଉଁଥିରେ ଯାତ୍ରୀ ଯାତ୍ରା ସମୟରେ ସାମ୍ନା କରିଥିବା ଅସୁବିଧାକୁ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି।

ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଯାତ୍ରୀ ଲେଖିଛନ୍ତି, ‘ମୁଁ ଯାଉଥିବା ଏହି କ୍ୟାବରେ ସୁରକ୍ଷିତ ଅନୁଭବ କରୁନାହିଁ। ଚାଳକ ଗାଡ଼ି ଚଲାଉଥିବା ସମୟରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାଉଛନ୍ତି। ଏଥିସହିତ ଗାଡ଼ି ଚାଲୁଥିବା ସମୟରେ କୋଳରେ ଫୋନ ରଖି ଭିଡିଓ ବି ଦେଖୁଛନ୍ତି। ମୁମ୍ବାଇ ଟ୍ରାଫିକ ପୁଲିସ ଏହା ମୁମ୍ବାଇରେ ହିଁ ଘଟିଛି। ଆପଣ ଏହାକୁ ଅଟକାଇବା ପାଇଁ କ’ଣ କରିବେ ଉବେର ମୁମ୍ବାଇ।’

ଯାତ୍ରୀଙ୍କ ଏହି ଭାଇରାଲ ଟୁଇଟ ପରେ ଉବେର ଓ ମୁମ୍ବାଇ ପୁଲିସ ଉଭୟଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି।

ମୁମ୍ବାଇ ଟ୍ରାଫିକ ପୁଲିସ ଘଟଣାସ୍ଥଳର ଲୋକେସନ ଯାତ୍ରୀଙ୍କୁ ମାଗିବା ସହିତ ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି। ଏଥିସହିତ ଉବେର ଇଣ୍ଡିଆ ବି ଏହି ଘଟଣାରେ ଚିନ୍ତାପ୍ରକଟ କରି କହିଛି, ‘ଏଭଳି ଘଟଣାକୁ ଗ୍ରହଣ କରାଯିବ ନାହିଁ। ଉକ୍ତ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’