ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ ଜଣେ ୧୨ ବର୍ଷୀୟ ବାଳିକା ସହିତ କରାଯାଇଥିବା ଦୁଷ୍କର୍ମ ଘଟଣାରେ ପୁଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ କରିବା ସହିତ ଆଉ ୩ଜଣଙ୍କୁ ଅଟକ ରଖିଥିବା କଥା ପୁଲିସ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ଗିରଫ ହୋଇଥିବା ଅଟୋ ଚାଳକ ହେଉଛନ୍ତି ୩୮ ବର୍ଷିୟ ରାକେଶ। ଘଟଣା ସଂକ୍ରାନ୍ତରେ ବିବୃତି ଦେଇ ପୁଲିସ କହିଛି, ଜୀବନ ଖେରିରେ ଦୁଷ୍କର୍ମ ପୀଡ଼ିତା ଅଟୋରେ ଚଢ଼ିଥିବା କଥା ଉଦ୍ଧାର କରାଯାଇଥିବା ‘ସିସିଟିଭି’ ଫୁଟେଜ୍ରୁ ଜଣାପଡ଼ିଛି।
ତା’ଛଡ଼ା ସେ ଅଟୋରେ ରକ୍ତ ଦାଗ ଦେଖିବାକୁ ମିଳିଥିଲା। ସେଥିପାଇଁ ସେ ଅଟୋର ‘ଫୋରେନ୍ସିକ୍’ ପରୀକ୍ଷା ଚାଲିଛି। ଅଟକ ଥିବା ଆଉ ୩ଜଣଙ୍କ ମଧ୍ୟରେ ବି ଜଣେ ଅଟୋ ଚାଳକ ଅଛନ୍ତି। କିନ୍ତୁ, ପୁଲିସ ସେମାନଙ୍କ ପରିଚୟ ଗୋପନ ରଖିଛି।
ପୁଲିସ ଆହୁରି ମଧ୍ୟ କହିଛି ଯେ, ସହାୟତା ମାଗି ମାଗି ବାଳିକାଟି ଚାଲିଥିବା ୮ କିଲୋମିଟର୍ ପରିମିତ ଅଞ୍ଚଳର ‘ସିସିଟିଭି’ ଫୁଟେଜ୍ ମଧ୍ୟ ଉଦ୍ଧାର କରାଯାଇଛି।
ରକ୍ତସ୍ରାବ ହେଉଥିବା ଅବସ୍ଥାରେ ଉଜ୍ଜୟିନୀ ସହର ରାସ୍ତାରୁ ଉଦ୍ଧାର କରାଯାଇଥିବା ୧୨ ବର୍ଷୀୟ ଦୁଷ୍କର୍ମ-ପୀଡ଼ିତାର ଚିକିତ୍ସା ଦଳେ ବିଶେଷଜ୍ଞ ଡାକ୍ତର ଆରମ୍ଭ କରିଛନ୍ତି। ସେମାନେ ଝିଅଟିର ଶରୀରରେ ଅସ୍ତ୍ରୋପଚାର କରିଛନ୍ତି। ତା’ର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲେ ବି ସ୍ଥିର ରହିଛି ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ରକ୍ତସ୍ରାବ ଅବସ୍ଥାରେ ଅର୍ଦ୍ଧନଗ୍ନ ବାଳିକାଟି ସହାୟତା ନିମନ୍ତେ ରାସ୍ତାରେ ବୁଲୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ପରେ ପରେ ମହାକାଳ ଥାନାରେ ଏହି ନାବାଳିକ ଦୁଷ୍କର୍ମ ଘଟଣାର ‘ଏଫ୍ଆଇଆର୍’ ପଞ୍ଜିକରଣ କରାଗଲା। ସମ୍ପ୍ରତି ଏହି ମାମଲାର ତଦନ୍ତ ଚାଲିଛି। ଘଟଣାର ତଦନ୍ତ ଲାଗି ‘ଏସ୍ଆଇଟି’ ଟିମ୍ ମଧ୍ୟ ଗଠନ କରାଯାଇଥିବା କଥା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି।