ନାବାଳିକା ଭାଣିଜୀକୁ ଅପହରଣ, ମାମୁଁ ଗିରଫ

ଖଣ୍ଡଗିରି: ଥରେ ନୁହେଁ, ଦୁଇ ଦୁଇ ଥର ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ଅଭିଯୋଗରେ ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ଭଜମନ ନାଏକ ଓରଫ୍‌ ନିଲୁ(୨୨)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନିଲୁର ଘର ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ନିମାଣି ଗାଁରେ ଓ ସେ ସ୍ଥାନୀୟ ଡୁମୁଡୁମା ଫେଜ୍‌-୧ରେ ରହି ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଗାଡ଼ି ଚାଳକ ଭାବେ କାମ କରୁଥିଲା। ସୂଚନାନୁସାରେ ୧୪ ବର୍ଷ ବୟସର ପଡ଼ୋଶୀ ନାବାଳିକାକୁ ପ୍ରେମରେ ଫସାଇ ସେ ପୂର୍ବରୁ ଥରେ ଅପହରଣ କରି ନେଇଥିଲା। ସମ୍ପର୍କରେ ମାମୁଁ ହୋଇଥିଲେ ବି ନିଲୁ ଉକ୍ତ ନାବାଳିକାକୁ ପ୍ରଲୋଭିତ କରି ଏହି ପାପ ସମ୍ପର୍କ ରଖିବାକୁ ପଛାଇ ନଥିଲା। ତେବେ ପରେ ପରିବାର ଲୋକେ ନାବାଳିକାକୁ ଉଦ୍ଧାର କରି ଘରକୁ ଫେରାଇ ଆଣିଥିଲେ। କିନ୍ତୁ ଗତ ମାର୍ଚ୍ଚ ମାସରେ ନିଲୁ ପୁଣି ଥରେ ଉକ୍ତ ନାବାଳିକାକୁ ଅପହରଣ କରି ନେଇ ଫେରାର୍‌ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ବି ନିଲୁର ପତ୍ତା ମିଳି ନଥିଲା। ତେଣୁ ବାଧ୍ୟ ହୋଇ ପରିବାର ଲୋକେ ଖଣ୍ଡଗିରି ଥାନା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ନିଲୁ ଡୁମୁଡୁମା ଫେରି ଆସିଥିବା ଖବର ପାଇ ପୁଲିସ ତାକୁ ଗିରଫ କରିଥିଲା। ଆଜି ଡାକ୍ତରୀ ମାଇନା ପରେ ପୁଲିସ ନାବାଳିକାକୁ ବାପାମାଙ୍କୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତ ନିଲୁକୁ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ନିଲୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ଯାଇଛି।

ସମ୍ବନ୍ଧିତ ଖବର