ହାଇଦ୍ରାବାଦ୍: ତେଲେଙ୍ଗାନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଅଜଣା ବ୍ୟକ୍ତି କଥା ହେବା ବାହାନାରେ ତହସିଲ୍ଦାର ବିଜୟା ରେଡ୍ଡିଙ୍କ ଚାମ୍ବରରେ ପଶି ତାଙ୍କୁ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଅବଦୁଲାପୁରମେଟ ଅଞ୍ଚଳରେ ଅପରାହ୍ନ ୧.୩୦ରେ ଘଟିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ତହସିଲ୍ଦାର ବିଜୟା ରେଡ୍ଡି ତାଙ୍କ ଅଫିସ୍ରେ ଥିବା ବେଳେ ଅଭିଯୁକ୍ତ ତାଙ୍କ ଅଫିସ୍ ଭିତରକୁ ପଶି ଆସିଥିଲେ ଓ କିଛି ସମୟ କଥାବାର୍ତ୍ତା କରିଥିଲେ। କିଛି ସମୟ କଥା ହେବା ପରେ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଅଭିଯୁକ୍ତ କ୍ରୋଧରେ ଆସି ନିଜ ସାଙ୍ଗରେ ଆଣିଥିବା ବୋତଲ କାଢ଼ି ସେଥିରେ ଥିବା ପେଟ୍ରୋଲ୍କୁ ବିଜୟାଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା।
ବିଜୟା ନିଜ ଚାମ୍ବର ବାହାରକୁ ବାହାରିବାକୁ ବହୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କ ଶରୀରରେ ନିଆଁ ବ୍ୟାପିଯିବାରୁ ସେ ବାହାରକୁ ବାହାରି ନ ପାରି ସେଇଠାରେ ପଡ଼ି ମୃତ୍ୟୁବରଣ କରିଥିଲେ। ତେବେ, ଅଭିଯୁକ୍ତ ଜଣକ ଏପରି କାଣ୍ଡ କରି ସେ ସ୍ଥାନ ଛାଡ଼ି ପଳାଇ ଯାଇଥିବା ସୂଚନା ରହିଛି।
ବିଜୟଙ୍କା ଦେହରେ ନିଆଁ ଲାଗିବା ପରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ସେଠାରେ ଥିବା ତାଙ୍କ ଡ୍ରାଇଭର୍ ଓ ଅନ୍ୟ ଷ୍ଟାଫ୍ ଦୌଡ଼ି ଆସି ଦେଖିବା ବେଳକୁ ବିଜୟା ଅଧାରୁ ଅଧିକ ଜଳି ସାରିଥିଲେ। ସେମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନେଇ ଯାଇଥିଲେ ବି ହସ୍ପିଟାଲ୍ରେ ପହଞ୍ଚିଲା ବେଳକୁ ବିଜୟଙ୍କର ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ଘଟିବା ପରେ ପରେ ଏହା ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ପୁଲିସ୍ ଅଭିଯୁକ୍ତକୁ ଖୋଜାଖୋଜି କରିବା ଆରମ୍ଭ କରିଛି।