ସବ୍‌-ଇନ୍‌ସ୍ପେକ୍ଟରଙ୍କ ଅମାନବୀୟ କାର୍ଯ୍ୟ: ପୋଷ୍ଟର କାଢ଼ିବା ପାଇଁ ବିଦ୍ୟୁତ୍‌ ଖୁଣ୍ଟକୁ କନ୍‌ଷ୍ଟେବଲଙ୍କୁ ଚଢ଼ାଇ ସେଲ୍‌ଫି ନେଲେ

ଉନାଓ: ନିର୍ବାଚନ କମିସନ ରବିବାର ୨୦୧୯ ଲୋକସଭା ଓ ୪ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ନିର୍ବାଚନ ପ୍ରଚାର ହୋଡିଂକୁ କାଢ଼ି ଦିଆଯାଇଛି। ଏହି ହୋଡିଂ ହଟାଯିବା କାମ ଚାଲିଥିବା ବେଳେ ଜଣେ ପୁଲିସ୍‌ ସବ୍‌ ଇନ୍‌ସ୍ପେକ୍ଟର ନେଇଥିବା ସେଲ୍‌ଫି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଉତ୍ତରପ୍ରଦେଶର ଉନାଓସ୍ଥିତ ଆଞ୍ଚଲଗଞ୍ଜ ଅଞ୍ଚଳର ବଦ୍ରକ ଚୌକିଠାରେ ଉଠାଯାଇଥିବା ଏହି ଫଟୋଟି ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ଭାଇରାଲ୍‌ ଫଟୋରେ ଦେଖିବାକୁ ମିଳିଛି ଯେ ନିର୍ବାଚନ ପ୍ରଚାର ପୋଷ୍ଟ୍‍ର କାଢ଼ିବା ପାଇଁ ଜଣେ ପୁଲିସ୍‌ କନ୍‌ଷ୍ଟେବଲ୍‌ ଏକ ବିଦ୍ୟୁତ୍‌ ଖୁଣ୍ଟି ଉପରେ ଚଢୁଛନ୍ତି। ସେହି ସମୟରେ ଜଣେ ସବ୍‌-ଇନ୍‌ସ୍ପେକ୍ଟର ଏକ ସେଲ୍‌ଫି ନେବାର ଦୃଶ୍ୟ ଦେଖା ଦେଇଛି। କନ୍‌ଷ୍ଟେବଲ୍‌ଙ୍କ ଜୀବନକୁ ବିପଦରେ ପଠାଇଥିବା ହେତୁ ଉକ୍ତ ସବ୍‌ ଇନ୍‌ସ୍ପେକ୍ଟରଙ୍କର ବଦଳି କରି ଦିଆଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ମାର୍ଚ ୧୦ ତାରିଖରେ ନିର୍ବାଚନ କମିସନ ୨୦୧୯ ଲୋକସଭା ଓ ୪ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏପ୍ରିଲ୍‌ ୧୧ରୁ ନିର୍ବାଚନ ଆରମ୍ଭ ହୋଇ ମେ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ ୨୩ ତାରିଖରେ ଭେଟ ଗଣନା ହେବ।

ସମ୍ବନ୍ଧିତ ଖବର