ପ୍ରେମ ସଂପର୍କକୁ ଅସ୍ବୀକାର କରିବାରୁ ପ୍ରେମିକ ସହ ମିଶି ନିଜ ବାପାକୁ ହତ୍ୟା କଲା ଝିଅ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୧୮ ବର୍ଷୀୟା ଯୁବତୀ ଓ ତାଙ୍କ ପ୍ରେମିକ ମିଶି ଯୁବତୀଙ୍କ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଯୁବତୀଙ୍କ ବାପା ସେମାନଙ୍କ ପ୍ରେମ ସଂପର୍କକୁ ବିରୋଧ କରିବାରୁ ସେ ଦୁହେଁ ଏପରି କାଣ୍ଡ ରଚିଛନ୍ତି।

ରିପୋର୍ଟ ମୁତାବକ, ମୃତକ ଜଣକ ହେଉଛନ୍ତି ସାରଠା ଗ୍ରାମର ଦରବାରୀ ଲାଲ୍‌ ରାୱତ। ସେ ବୃତ୍ତିରେ ଜଣେ କୃଷକ। ତାଙ୍କ ଝିଅ ରଞ୍ଜୁ ନିଜ ଗ୍ରାମର ପଡ଼ୋଶୀଙ୍କ ପୁଅ ରବିଙ୍କ ସହ ପ୍ରେମ ସଂପର୍କରେ ଥିଲେ। ରାୱତ ତାଙ୍କ ଝିଅର ପ୍ରେମ ସଂପର୍କର ବିରୋଧୀ ଥିଲେ। ଏହି କଥାକୁ ନେଇ ବାପଝିଅଙ୍କ ଭିତରେ ଅନେକ ଥର ଯୁକ୍ତିତର୍କ ହେଇଛି। ରାଓତ ଅନେକ ବାର ରଞ୍ଜୁଙ୍କୁ ରବିଙ୍କ ସହ ସଂପର୍କ କାଟିବାକୁ କହିଥିଲେ। ମାତ୍ର ରଞ୍ଜୁ ବାପାଙ୍କ କଥା କାଟି ଆସୁଥିଲେ। ଶେଷରେ ରଞ୍ଜୁ ନିଜ ପ୍ରେମ ସଂପର୍କକୁ ସୁରକ୍ଷିତ ରଖିବାକୁ ପ୍ରେମିକ ସହ ମିଶି ବାପାଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ହଠାତ ରବିବାର ସକାଳେ ନିଜ ବାସଭବନରୁ ରାୱତଙ୍କ ମୃତଦେହ ମିଳିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ରଞ୍ଜୁ ଓ ରବି ମିଶି ରାୱତଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ତଦନ୍ତ ସମୟରେ ରାୱତଙ୍କ ପତ୍ନୀ ପୁଲିସ୍‌କୁ ବୟାନ ଦେଇ କହିଛନ୍ତି ଯେ ତାଙ୍କ ସ୍ବାମୀ ରଞ୍ଜୁଙ୍କ ପ୍ରେମ ସଂପର୍କକୁ ବିରୋଧ କରୁଥିଲେ।

ସମ୍ବନ୍ଧିତ ଖବର