ଲକ୍ଷ୍ନୌ: ଗାଳି କରୁଥିବାରୁ ନିଶାଗ୍ରସ୍ତ ‌ଥିବା ଯୁବକଙ୍କୁ ଜୋତାରେ ପିଟିଲେ କନଷ୍ଟେବଳ। ଭିଡିଓ ଭାଇରାଲ ପରେ ହେଲେ ନିଲମ୍ବିତ। ଉତ୍ତରପ୍ରଦେଶରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନିଶାଗ୍ରସ୍ତ ହେବା ପରେ ଜଣେ ଯୁବକ ଲୋକଙ୍କୁ ଗାଳି କରୁଥିଲା। ଏହା ଦେଖି କନଷ୍ଟେବଳ ଦୀ‌ନେଶ ୪ମିନିଟରେ ଯୁବକଙ୍କୁ ୩୮ଥର ଜୋତାରେ ପିଟିଥିଲେ। ଯୁବକଙ୍କ ମୁହଁ ସହ ପୂରା ଶରୀରକୁ କନଷ୍ଟେବଳଜଣକ ନିସ୍ତୁକ ପିଟିଥିବା ଜଣାପଡ଼ିଛି। ଘଟଣାଟି ଲକ୍ଷ୍ନୌରୁ ୧୦୦କିଲୋମିଟର ଦୂରରେ ଥିବ‌ା ହରଦୋଇରେ ଘଟିଥିବା ବେଳେ ଏବେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।

Advertisment

Watch: UP Cop In Trouble After Shocking Assault On Man, Allegedly Drunk ndtv

ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଘଟଣା ଘଟିବା ସମୟରେ ଅଭିଯୁକ୍ତ ସାଧା ପୋଷାକରେ ଥିଲେ ବୋଲି ଦେଖାଯାଇଛି। ଅତିରିକ୍ତ ପୁଲିସ ଅଧୀକ୍ଷକ ଦୁର୍ଗେଶ କୁମାର ସିଂ କହିଛନ୍ତି, "ଭାଇରାଲ ଭିଡିଓକୁ ନେଇ ପୁଲିସ ତଦନ୍ତ କରିଥିଲା। କନଷ୍ଟେବଳ ଦୀ‌ନେଶ ସାଧା ପୋଷାକ ପିନ୍ଧି ସ୍ଥାନୀୟ ବଜାରକୁ ଯାଇଥିଲେ। ସେଠାରେ ସେ ଜଣେ ବ୍ୟକ୍ତିଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଅନ୍ୟ ଲୋକଙ୍କ ସହ ଖରାପ ବ୍ୟବହାର କରୁଥିବା ଦେଖିଥିଲେ। ଏହା ଦେଖି କନଷ୍ଟେବଳ ତାଙ୍କୁ ଅଟକାଇବାରୁ ସେ କନଷ୍ଟେବଳଙ୍କୁ ମଧ୍ୟ ଗାଳି କରିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ଏବଂ କନଷ୍ଟେବଳଜଣକ ନିଶାଗ୍ରସ୍ତ ଯୁବକଙ୍କୁ ମାଡ଼ ମାରିଥିଲେ। ଏଭଳି କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।