ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାର ଜଣେ ସରକାରୀ ଡାକ୍ତରଙ୍କ ବିରୋଧରେ ଅବହେଳା ଅଭିଯୋଗ ହୋଇଛି। କାରଣ ଡାକ୍ତର ୧୮ ବର୍ଷର ବାଳିକାଙ୍କ ଅସ୍ତ୍ରୋପଚାର କରିବା ପରେ ମୁଣ୍ଡରେ ସର୍ଜିକାଲ୍ ଛୁଞ୍ଚିକୁ ଛାଡି ଦେଇଥିଲେ।
ପରିବାରଲୋକ ଝିଅର ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ପଡ଼ିଶାଲୋକଙ୍କ ସହିତ ଝଗଡ଼ା ହୋଇଥିଲା। ଏହି ଝଗଡ଼ାରେ ଝିଅ ସୀତାରାର ମୁଣ୍ଡରେ ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ଆମେ ତାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲୁ। ସେଠାରେ ଡାକ୍ତର ଝିଅର ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ଶେଷ ହେବାର କିଛିଦିନ ପରେ ସୀତାରାକୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଥିଲା।
ଘରକୁ ଆସିବା ପରେ ସୀତାରାର ମୁଣ୍ଡରେ ଯନ୍ତ୍ରଣା ହୋଇଥିଲା। ଆମେ ତାକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ। ଏଠାରେ ଡାକ୍ତର ସୀତାରାର ମୁଣ୍ଡର ସିଲେଇ ଖୋଲି ଦେଖିଲା ବେଳକୁ ସେଥିରେ ଏକ ସର୍ଜିକାଲ ଛୁଞ୍ଚି ଥିବା ଦେଖିବାକୁ ପାଇଥିଲେ। ଯାହାକୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ସୀତାରାର ଚିକିତ୍ସା ଆରମ୍ଭ କରିଥିଲେ। ଘରୋଇ ଡାକ୍ତରଙ୍କ ଚିକିତ୍ସା ପରେ ସୀତାରା ସୁସ୍ଥ ହୋଇଥିଲା। ତାର ମୁଣ୍ଡର ଯନ୍ତ୍ରଣା କମି ଯାଇଥିଲା।
ତେବେ ରୋଗୀଙ୍କ ପ୍ରତି ଏଭଳି ଅବହେଳା କରୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ନଚେତ ଡାକ୍ତରଙ୍କ ଏଭଳି ଅବହେଳା ପାଇଁ କେତେ ଯେ ରୋଗୀଙ୍କ ଜୀବନ ଚାଲିଯିବ ତାହାର ତୁଳନା ନାହିଁ।