ନକଲି କୋଭିଡ-୧୯ ନେଗେଟିଭ ରିପୋର୍ଟ ଦେଇ ଟଙ୍କ‌ା ଆୟ କରୁଥିବା ଡାକ୍ତରଖାନାର ଲାଇସେନ୍ସ ରଦ୍ଦ

ମିରଟ : ମିରଟରେ ଥିବା ଏକ ଘରୋଇ ଡାକ୍ତରଖାନାର ଲାଇସେନ୍ସକୁ ଆଜି ରଦ୍ଦ କରି ଦିଆଯାଇଛି । ଡାକ୍ତରଖାନାରେ ରୋଗୀଙ୍କୁ କୋଭିଡ-୧୯ର ନେଗେଟିଭ ରି‌ପୋର୍ଟ ଦିଆଯାଉଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ଡାକ୍ତରଖାନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତରଖାନାରକୁ ସିଲ୍ କରାଯିବା ସହ ଡାକ୍ତରଖାନାର ଲାଇସେନ୍ସକୁ ରଦ୍ଦ କରାଯାଇଛି । ଭାଇରାଲ ହୋଇଥିବା ଭିଡିଓରେ ଡାକ୍ତରଖାନାର ଜଣେ କର୍ମଚାରୀ ଟଙ୍କା ନେଇ କୋଭିଡ-୧୯ର ନେଗେଟିଭ ରିପୋର୍ଟ ଦେଉଥିବା ‌ଦେଖାଯାଇଥିଲା । ଅଭିଯୁକ୍ତ କର୍ମଚାରୀ ଗୋଟେ ରିପୋର୍ଟ ପାଇଁ ୨୫୦୦ଟଙ୍କା ନେଇ ଲୋକଙ୍କୁ  କୋଭିଡ-୧୯ର ନେଗେଟିଭ ରି‌ପୋର୍ଟ ଦେଉଥିଲେ । ପ୍ରଥମେ ୨,୦୦୦ଟଙ୍କା ନେଉଥିବା ବେଳେ ରିପୋର୍ଟ ପାଇବା ପରେ ରୋଗୀମାନେ ୫୦୦ଟଙ୍କା ଦେଉଥିଲେ ।

ଏହି ଘଟଣା ପରେ ମିରଟ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡାକ୍ତରଖାନାର ମାଲିକଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ବୋଲି ଜଣା ପଡ଼ିଛି । ଏହି ଘଟଣାକୁ ନିଶ୍ଚିତ କରି ମିରଟ ଜିଲ୍ଲା ମାଜିଷ୍ଟ୍ରେଟ ଅନିଲ ଢ଼ିଙ୍ଗ୍ରା କହିଛନ୍ତି ଯେ, “ମିରଟରେ ଥିବା ଏକ ଘରୋଇ ଡାକ୍ତରଖାନାର ଭିଡିଓ ଭାଇରାଲ ହୋଇଛି ।  ଆମେ ସେ ଘଟଣା ବିଷୟରେ ଜାଣିବା ପରେ ଏକ ମାମଲା ରୁଜୁ କରିଛୁ ଏବଂ ଡାକ୍ତରଖାନାର ଲାଇସେନ୍ସକୁ ରଦ୍ଦ କରିଛୁ। ଏହା ସହ ଡାକ୍ତରଖାନାକୁ ମଧ୍ୟ ସିଲ୍ କରାଯାଇଛି | କରୋନା ମହାମାରୀ ସମୟରେ ଏପରି କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ”

ସମ୍ବନ୍ଧିତ ଖବର