ଜାଣନ୍ତୁ କ’ଣ ପାଇଁ ଦୁଷ୍କର୍ମର ଶିକାର ହୋଇଥିବା ଝିଅକୁ ପିଠିରେ ବସାଇ ନେଲେ ବାପା? ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲା ପୂରା ଘଟଣା

ଏଟା(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଏଟାରେ ଘଟିଥିବା ଘଟଣାର ଏକ ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଜଣେ ବାପା ନିଜ ଝିଅକୁ ପିଠିରେ ବସାଇ ନେଉଥିବାର ଦୃଶ୍ୟ ଦେଖି ଅନେକଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠିଥିବା ବେଳେ ଏବେ ଏଭଳି କରିବା ପଛର କାରଣ ସାମ୍ନାକୁ ଆସିଛି। ପୀଡ଼ିତାଙ୍କୁ ତାଙ୍କ ପଡ଼ୋଶୀ ଦୁଷ୍କର୍ମ କରିଥିବା ବେଳେ ନିଜକୁ ବଞ୍ଚାଇବା ସମୟରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ଏ ନେଇ ପୁଲିସରେ ଅଭିଯୋଗ କରାଯିବା ସହ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲେ ମଧ୍ୟ ଡାକ୍ତରଖାନାରେ ହ୍ବିଲଚେୟାର ବା ଷ୍ଟ୍ରେଚର ନ ଥିବାରୁ ପୀଡ଼ିତାଙ୍କ ବାପା ତାଙ୍କୁ ପିଠି‌ରେ ବସାଇ ନେଇଥିଲେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ୧୫ବର୍ଷୀୟା ପୀଡ଼ିତାଙ୍କ ସହ ୧୯ବର୍ଷୀୟ ପଡ଼ୋଶୀ ଦୁଷ୍କର୍ମ କରିଥିଲା। କିଛି ଘଣ୍ଟା ଧରି ଅଭିଯୁକ୍ତ ଦୁଷ୍କର୍ମ କରିଥିବା ବେଳେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ପୀଡ଼ିତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଫଳରେ ସେ ଚାଲି ପାରି ନଥିଲେ। ଏ ନେଇ ଡିସେମ୍ବର ୧୪ରେ ପୁଲିସରେ ଅଭିଯୋଗ ହେବା ପରେ ପର ଦିନ ଅଭିଯୁକ୍ତ ଅଙ୍କିତ ଯାଦବଙ୍କୁ ପୁଲିସ ଗିରଫ କରି ନେଇଥିଲା। ଆଗାମୀ ତଦନ୍ତ ପାଇଁ ପୁଲିସ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିଲେ ମଧ୍ୟ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ହ୍ବିଲଚେୟାର ବା ଷ୍ଟ୍ରେଚର ନଥିବାରୁ ପୀଡ଼ିତାଙ୍କ ବାପା ତାଙ୍କୁ ପିଠିରେ ବସାଇ ଡାକ୍ତରୀ ପରୀକ୍ଷା ପାଇଁ ନେଇଥିଲେ।

ତେବେ ଏକ ସରକାରୀ ଡାକ୍ତରଖାନାରେ ହ୍ବିଲଚେୟାର ବା ଷ୍ଟ୍ରେଚର ନଥିବା ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଉପରେ ଏ ନେଇ ପ୍ରଶ୍ନ ଉଠିଛି। ଭିଡିଓ ଭାଇରାଲ ପରେ ତୁରନ୍ତ ଡାକ୍ତରଖାନାକୁ ହ୍ବିଲଚେୟାର, ଷ୍ଟ୍ରେଚର ଓ ଅନ୍ୟ ଦରକାରୀ ଜିନିଷ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ।

ସମ୍ବନ୍ଧିତ ଖବର