ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ଜିତିବା ପାଇଁ ପ୍ରାର୍ଥୀମାନେ ମିଠା ଜାତୀୟ ଖାଦ୍ୟ ଦ୍ରବ୍ୟର ସାହାର ନେଉଛନ୍ତି। ଅମରୋହାରେ ଏକ ସପ୍ତାହ ତଳେ ୧୦୦କିଲୋଗ୍ରାମ ରସଗୋଲା ଜବତ ହୋଇଥିଲା ବେଳେ ଉନ୍ନାୱରେ ପୁଲିସ ଚଢ଼ାଉ କରି ୨କୁଇଣ୍ଟାଲ ଜିଲାପି ଏବଂ ଏକ ହଜାରରୁ ଅଧିକ ସିଙ୍ଗଡ଼ା ଜବତ କରିଛି। ଏହି ଜିଲାପି ଓ ସିଙ୍ଗଡ଼ା ଭୋଟରଙ୍କୁ ନିଜଆଡକୁ ଆକର୍ଷିତ କରିବା ପାଇଁ ପିଛୱାଡା ଗାଁରେ ମୁଖିଆ ପଦ ପାଇଁ ପ୍ରାର୍ଥୀ ହୋଇଥିବା ରାଜୁ ମୌର୍ଯ୍ୟ ଘରେ ତିଆରି କରାଯାଉଥିଲା।

Advertisment

ସସନଗଞ୍ଜ ସିଓ ଆର.କେ. ଶୁକ୍ଳା ସୂଚନା ଦେଇ କହିଛନ୍ତି, କରୋନା ମାର୍ଗଦର୍ଶିକା ଉଲ୍ଲଂଘନ କରି ରାଜୁଙ୍କ ଘରେ ବହୁ ସଂଖ୍ୟକ ଭୋଟର ଏକତ୍ରିତ ହୋଇଥିଲେ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ୧୦ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ଘଟଣାସ୍ଥଳରୁ ମଇଦା, ଘିଅ, ଗ୍ୟାସ ସିଲିଣ୍ଡର ଆଦି ଜବତ କରାଯାଇଛି।

ଏକ ସପ୍ତାହ ପୂର୍ବରୁ ଆମରୋହା ଜିଲ୍ଲା ରୁଖାଲୁ ଗାଁରେ ମୁଖିଆ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରସେନ ନାମକ ଜଣେ ବ୍ୟକ୍ତି ରସଗୋଲା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା। ଚନ୍ଦ୍ରସେନ ଘରୁ ପାଖାପାଖି ୧୦୦କିଲୋ ରସଗୋଲା ଜବତ କରାଯାଇଛି। ଏହି ମାମଲାରେ  ଚନ୍ଦ୍ରସେନ ପତ୍ନୀଙ୍କ ଭାଇ ସୋହନବୀରଙ୍କୁ ଗିରଫ କରାଯାଇଛି।