ରାଏବରେଲି : ଏ ପର୍ଯ୍ୟନ୍ତ ଆପଣମାନେ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କୁ ଛାତ୍ର-ଛାତ୍ରୀଙ୍କୁ ମାଡ଼ ମାରୁଥିବାର ଖବର ଶୁଣିଥିଲେ । କିନ୍ତୁ ଉତ୍ତରପ୍ରଦେଶର ରାଏବରେଲିରେ ଏହାର ଠିକ୍ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ରାଏବରେଲି ଜିଲ୍ଲାରେ ଥିବା ଗାନ୍ଧୀ ସେବା ନିକେତନ ଆଶ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଇରାଲ ଭିଡିଓରେ କିଭଳି ଛାତ୍ରମାନେ ଦଳ ହୋଇ ଆସିବା ସହ ଶିକ୍ଷୟତ୍ରୀଙ୍କ ବ୍ୟାଗ୍ ଫିଙ୍ଗି ଦେଉଛନ୍ତି ଓ ପରେ ଜଣେ ଛାତ୍ର କିଭଳି ଚେୟାର ଟେକି ଶିକ୍ଷୟିତ୍ରୀଙ୍କୁ ପିଟୁଛନ୍ତି, ତାହା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଏବେ ଏହି ଘଟଣାକୁ ନେଇ ବିବାଦ ଦେଖା ଦେଇଛି।
ଶିକ୍ଷୟତ୍ରୀଙ୍କ ନାଁ ମମତା ଦୁବେ ବୋଲି ଜଣା ପଡ଼ିଥିବା ବେଳେ ସେ ଛାତ୍ରମାନଙ୍କୁ କମେଣ୍ଟ ମାରୁଥିବାରୁ ସେମାନେ ଏଭଳି କରିଥିବା ଦାବି କରିଛନ୍ତି। ଶିକ୍ଷୟିତ୍ରୀଜଣଙ୍କ କିଛି ଛାତ୍ରଙ୍କୁ ଟାର୍ଗେଟ କରି ଅନାଥ ବୋଲି କହିବା ସହ ଅନେକ ପ୍ରକାରର କମେଣ୍ଟ ମାରୁଥିଲେ। ଯାହା ସେମାନଙ୍କୁ ଏଭଳି କରିବାକୁ ବାଧ୍ୟ କରିଥିଲା। ତେବେ ମମତାଙ୍କର ଘଟଣାକୁ ନେଇ କିଛି ଭିନ୍ନ ପ୍ରତିକ୍ରିୟା ରହିଛି।
#WATCH A child welfare official, Mamata Dubey, was thrashed by students at Gandhi Sewa Niketan in Raebareli, yesterday. pic.twitter.com/ZCBGJeZ8Z3
— ANI UP (@ANINewsUP) November 12, 2019
ଏହି ଘଟଣା ଗାନ୍ଧୀ ସେବା ନିକେତନ ଆଶ୍ରମର ମ୍ୟାନେଜରଙ୍କ କହିବାନୁସାରେ ହୋଇଥିବା ନେଇ କହିଛନ୍ତି ମମତା। ତାଙ୍କ କହିବା ଅନୁଯାୟୀ, ଗାନ୍ଧୀ ସେବା ନିକେତନ ଆଶ୍ରମର ମ୍ୟାନେଜର ତାଙ୍କ ସହ ଅସଦାଚରଣ କରୁଥିଲେ। ଏ ନେଇ ଅଭିଯୋଗ କରିବାରୁ ମମତାଙ୍କୁ ଗାନ୍ଧୀ ସେବା ନିକେତନ ଆଶ୍ରମରୁ ବାହାର କରି ଦିଆଯାଇଥିଲା। କିନ୍ତୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପ ପରେ ମମତା ପୁଣି ଗାନ୍ଧୀ ସେବା ନିକେତନ ଆଶ୍ରମକୁ ପଢ଼ାଇବାକୁ ଆସିଥିଲେ। ଏହା ପରଠାରୁ ତାଙ୍କ ସହ ଛାତ୍ରମାନେ ଖରାପ ବ୍ୟବହାର କରି ଆସୁଥିବା କହିଛନ୍ତି ମମତା। ସେ କହିଛନ୍ତି କି, ମୋତେ ଶୌଚାଳୟରେ ଛାତ୍ରମାନେ ବନ୍ଦ କରିଦେବା ପରେ ମୁଁ ଏ ନେଇ ସ୍କୁଲ ଅଧିକାରୀଙ୍କୁ ଅଭିଯୋଗ କରିଥିଲି। କିନ୍ତୁ ସେମାନେ, ପିଲା ଯାହା ଚାହିଁବେ କରି ପାରିବେ ବୋଲି କହି ମୋ କଥା ଶୁଣି ନ ଥିଲେ। ଏହାର ଦୁଇ ଦିନ ପରେ ମୁଁ ଗାନ୍ଧୀ ସେବା ନିକେତନ ଆଶ୍ରମ ଯିବା ପରେ ଛାତ୍ରମାନେ ମୋତେ ମିଶିକରି ଆକ୍ରମଣ କରିଥିଲେ।
ତେବେ ଶିକ୍ଷୟିତ୍ରୀ ମମତା ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ସତ ବୋଲି ପ୍ରମାଣ ହୋଇ ସାରିଛି। ଜଣେ ଛାତ୍ର ଶିକ୍ଷୟିତ୍ରୀଙ୍କୁ ଏଭଳି ମାଡ଼ ମାରିବା ନିନ୍ଦନୀୟ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି।