ଚନ୍ଦୌଲି: ପନିର୍ ନମିଳିବାରୁ ରାଗିଗଲେ ଯୁବକ। ବିବାହରେ ଆସିଥିବା ଅତିଥିଙ୍କ ଉପରେ ଚଢ଼ାଇ ଦେଲେ ଟ୍ରାଭେଲର୍। ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ଜଣେ ବ୍ୟକ୍ତି ଏଭଳି ଅଜବ କାମ କରିଥିବା ଜଣାଯାଇଛି। ଏହି ଘଟଣାରେ ୬ଜଣ ଆହତ ହୋଇଥିବା ସହ ୩ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଛି। ଅଭିଯୁକ୍ତର ନାମ ଧର୍ମେନ୍ଦ୍ର ଯାଦବ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ମୁଗଲସରାଇ କୋତୱାଲି ଅଞ୍ଚଳର ହମିଦପୁର ଗାଁରେ ରାଜନାଥ ଯାଦବଙ୍କ ଝିଅର ବିବାହ ଥିଲା। ଶନିବାର ବିଳମ୍ବିତ ସନ୍ଧ୍ୟାରେ ବରାଯାତ୍ରୀ ଆସି ମଣ୍ଡପରେ ପହଞ୍ଚିଥିଲେ। ସବୁକିଛି ଠିକ୍ ଚାଲିଥିବା ସହ ବିବାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଥିଲା। ଏହା ପରେ କନ୍ୟା ପକ୍ଷର ଧର୍ମେନ୍ଦ୍ର ଯାଦବ ଆସି ଖାଇବା ଆରମ୍ଭ କଲେ ଏବଂ ପନିର ମାଗିଲେ। ଯେତେବେଳେ ତାଙ୍କୁ ପନିର୍ ମିଳିଲା ନାହିଁ, ସେ ରାଗିଯାଇ ବିବାହ ଉତ୍ସବରେ ଉପସ୍ଥିତ ଥିବା ଲୋକଙ୍କ ଉପରେ ଟ୍ରାଭେଲର୍ ଚଢ଼ାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣାରେ ୬ଜଣ ଆହତ ହୋଇଥିବା ସହ ୩ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଛି। ଏଥିରେ ବରର ବାପା ଓ କନ୍ୟାର ଦାଦା ମଧ୍ୟ ଆହତ ହୋଇଛନ୍ତି।
ଏହି ଘଟଣା ପରେ, ବର ପକ୍ଷ ଦାବି କରିଥିଲେ ଯେପର୍ଯ୍ୟନ୍ତ ଧର୍ମେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ ନହୋଇଛି, ସେପର୍ଯ୍ୟନ୍ତ ବିବାହ ହେବ ନାହିଁ। କନ୍ୟା ପକ୍ଷ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ, ପରଦିନ ଅର୍ଥାତ୍ ରବିବାର ଅପରାହ୍ନ ପ୍ରାୟ ୧୨ଟାରେ ବିବାହ ରୀତିନୀତି ସମାପ୍ତ ହୋଇଥିଲା।