ସିଦ୍ଧି: ସେ ଭୁଲ ବୁଝିପାରିଛନ୍ତି। ତାଙ୍କୁ ଛାଡ଼ି ଦିଅ। ଏଭଳି କହି ପରିସ୍ରା କରିଥିବା ଯୁବକଙ୍କୁ ମୁକୁଳାଇବାକୁ କହିଲେ ଆଦିବାସୀ ଯୁବକ। ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ କିଛି ଦିନ ତଳେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପ୍ରବେଶ ଶୁକ୍ଲା ନାମକ ଜଣେ ବ୍ୟକ୍ତି ପରିସ୍ରା କରିଥିଲେ। ଏହାର ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହି ଘଟଣାର ଅଭିଯୁକ୍ତ ପ୍ରବେଶ ଶୁକ୍ଳାକୁ ଗିରଫ କରାଯାଇ ତାଙ୍କ ଘରର କିଛି ଅଂଶକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ଅଭିଯୁକ୍ତ ଏବେ ଜେଲରେ ଥିବା ବେଳେ ପୀଡ଼ିତ ଯୁବକ ତାଙ୍କୁ କ୍ଷମା କରିଥିବା କହିଛନ୍ତି।
ଅଭିଯୁକ୍ତ ତାଙ୍କ ଭୁଲ ବୁଝିପାରିଥିବାରୁ ପୀଡିତ ତାଙ୍କୁ ମୁକ୍ତ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, "ପ୍ରବେଶ ଶୁକ୍ଲା ଏକ ଭୁଲ କରିଥିଲେ ଏବଂ ଏବେ ସେ ନିଜ ଭୁଲ ବୁଝିପାରିଛନ୍ତି। ତେଣୁ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି।’’
ଉଲ୍ଲେଖଯୋଗ୍ୟ, ନିଶାଗ୍ରସ୍ତ ଥିବା ବିଜେପି ନେତା ପ୍ରବେଶ ଶୁକ୍ଲା ସିଡ଼ିରେ ବସିଥିବା ଜଣେ ଆଦିବାସୀ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିଥିଲେ। ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ତାକୁ ଗିରଫ କରିଥିଲା। ଏହି ଘଟଣା ପରେ କ୍ଷମତାରେ ଥିବା ସରକାରଙ୍କୁ ଟାର୍ଗେଟ କରାଯିବାରୁ ସମ୍ମାନର ନିଦର୍ଶନସ୍ବରୂପ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଦିବାସୀ ଶ୍ରମିକଙ୍କୁ ଭେଟି ତାଙ୍କ ପାଦ ଧୋଇ ଦେବା ସହିତ କ୍ଷମା ମାଗିଥିଲେ।