‘ଥ୍ୟାଙ୍କ୍ ୟୁ’ ନ କହିବାରୁ ଯୁକ୍ତିତର୍କ; ଅଭିଯୁକ୍ତଙ୍କ ଛୁରାମାଡ଼ରେ ୩୭ ବର୍ଷିୟ ବ୍ୟକ୍ତି ନିହତ
ପାର୍କ ସ୍ଲୋପ୍: ଆମେରିକାର ବ୍ରୁକ୍ଲିନ୍ରେ ଥିବା ଏକ ‘ସ୍ମୋକ୍ ସପ୍’ରେ (ତମାଖୁ ଓ ଧୂମପାନ ଉପକରଣ ଦୋକାନ) ‘ଧନ୍ୟବାଦ’ ନ କହିବା ଘଟଣାକୁ ନେଇ ଯୁକ୍ତିତର୍କ ଓ ହତ୍ୟାକାଣ୍ଡ ଘଟିଥିବା କଥା ପୁଲିସ କହିଛି।
ସଂଗୃହୀତ ସୂଚନା ଅନୁସାରେ, ମଙ୍ଗଳବାର ରାତି ୧୦.୨୦ରେ ପାର୍କ ସ୍ଲୋପ୍ର ୪ର୍ଥ ଆଭେନ୍ୟୁରେ ଥିବା ‘ପାର୍କ ସ୍ଲୋପ୍ କନ୍ଭେନିଏନ୍ସ୍’ରେ ଥିବା ‘ସ୍ମୋକ୍ ସପ୍’ର କବାଟ ଖୋଲିଥିବା ଜଣେ ବ୍ୟକ୍ତିଙ୍କୁ ଜଣେ କ୍ରେତା ଧନ୍ୟବାଦ ନ କହିବାରୁ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ପରେ ଆଗନ୍ତୁକଜଣକ କବାଟ ଖୋଲିଥିବା ବ୍ୟକ୍ତିଙ୍କୁ ଛୁରି ଭୁସି ହତ୍ୟା କରିଥିଲା।
‘ସ୍ମୋକ୍ ସପ୍’ର କର୍ମଚାରୀ ଖରେଫ୍ ଅଲ୍ସୈଦି କହିଛନ୍ତି, ଆଗନ୍ତୁକଜଣକ ଆସୁଥିବା ଦେଖି କବାଟ ଖୋଲିଥିବା ବ୍ୟକ୍ତିଙ୍କୁ ‘ଧନ୍ୟବାଦ’ ନ କହିବା ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି।
ସନ୍ଦିଗ୍ଧ ଦୋକାନକୁ ଆସୁଥିବା ଦେଖି ପୀଡ଼ିତ କବାଟ ଖୋଲିଥିଲେ। କିନ୍ତୁ, ସନ୍ଦିଗ୍ଧ ତାଙ୍କୁ ଧନ୍ୟବାଦ ନ କହିବାରୁ ସେ ପଚାରିଲେ, ଆପଣଙ୍କ ପାଇଁ କବାଟ ଖୋଲିଲି। ଆପଣ ମତେ ଧନ୍ୟବାଦ କହିଲେ ନାହିଁ କାହିଁକି?
ସନ୍ଦିଗ୍ଧ କହିଲେ, ମୋ ପାଇ କବାଟ ଖୋଲିବାକୁ ମୁଁ ଆପଣଙ୍କୁ କହି ନ ଥିଲି।

ଏମିତି ଯୁକ୍ତିତର୍କ ବଢ଼ି ଦୁହେଁ ଦୋକାନ ବାହାରେ ଧସ୍ତାଧସ୍ତି ହେଲେ। ସନ୍ଦିଗ୍ଧକୁ ଉତ୍ୟକ୍ତ କରିବାକୁ ପୀଡ଼ିତ କହିଲେ, ଯଦି ପାରୁଛ ମତେ ଛୁରି ମାର।
ତୁରନ୍ତ ସନ୍ଦିଗ୍ଧ ତାଙ୍କ ସାଇକେଲ୍ରୁ ଛୁରିଟାଏ ଆଣି ପୀଡ଼ିତଙ୍କ ପେଟ ଓ ବେକରେ ଭୁସି ପକାଇଲେ। ଛୁରାମାଡ଼ରେ ଲହୁଲୁହାଣ ହୋଇ ପୀଡ଼ିତ, ସେ ମତେ ଛୁରି ଭୁସିଦେଲେ , ସେ ମତେ ଛୁରି ଭୁସିଦେଲେ ବୋଲି ଚିତ୍କାର କରି ଚଟାଣରେ ପଡ଼ିଗଲେ।
ଘଟଣା ସମାଧାନ ପାଇଁ ସନ୍ଦିଗ୍ଧଙ୍କୁ ମୁଁ ଶାନ୍ତ ହେବାକୁ କହିଲି। ତାଙ୍କୁ କହିଲି ଯେ, ଛୁରି ରଖିଦିଅ। କିନ୍ତୁ, ସେ ମୋ କଥା ଶୁଣିଲେ ନାହିଁ। ମୋର ସବୁ ଉଦ୍ୟମ ବ୍ୟର୍ଥ ହୋଇଗଲା ବୋଲି ଅଲ୍ସୈଦି କହିଛନ୍ତି।
ତୁରନ୍ତ ତାଙ୍କୁ ‘ନ୍ୟୁୟର୍କ ପ୍ରେସ୍ବାଇଟେରିୟାନ୍ ବ୍ରୁକ୍ଲିନ୍ ମେଥଡିଷ୍ଟ୍ ହସ୍ପିଟାଲ୍’କୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଛୁରି ଭୁସିବା ପରେ ସନ୍ଦିଗ୍ଧ ଘଟଣାସ୍ଥଳରୁ ସାଇକେଲ୍ ଚଢ଼ି ଫେରାର୍ ହୋଇଯାଇଛି। ଏ ଘଟଣାରେ ଏଯାବତ୍ କହାକୁ ଗିରଫ କରାଯାଇନାହିଁ।